Categories: ଜାତୀୟ

ମୂସଓ୍ବୋଲା ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବ

ଚଣ୍ଡିଗଡ଼,୩୧।୫: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ କମିଶନ ଲୋକପ୍ରିୟ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟା ଘଟଣାର ତଦନ୍ତ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସୋମବାର ଏହା ଘୋଷଣା କରିଛନ୍ତି। ଏଥିପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ତଦନ୍ତରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ଏବଂ ଆବଶ୍ୟକ ପଡ଼ିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ତଦନ୍ତରେ ନିୟୋଜିତ କରାଯିବ ବୋଲି ମାନ୍‌ କହିଛନ୍ତି। ରବିବାର ଖବରଦାତା ସମ୍ମିଳନୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭି.କେ. ଭଓରା ଦେଇଥିବା ସୂଚନା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ସିଦ୍ଧୁଙ୍କୁ ସେ ଗ୍ୟାଙ୍ଗଷ୍ଟର ସହ ଯୋଡ଼ି ନ ଥିବା କହିଛନ୍ତି।
ରବିବାର ରାତିରେ ୮ରୁ ୧୦ ଜଣ ଆକ୍ରମଣକାରୀ ସିଦ୍ଧୁଙ୍କୁ ୩୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ। ଘଟଣାସ୍ଥଳ ଛାଡ଼ି ପଳାଇବା ପୂର୍ବରୁ ଆକ୍ରମଣକାରୀ ସିଦ୍ଧୁ ବଞ୍ଚତ୍ଛନ୍ତି କି ନାହିଁ ଯାଞ୍ଚ କରିଥିଲେ ବୋଲି ପୋଲିସ ସୂତ୍ରରୁ କୁହାଯାଇଛି। ପୋଲିସ ୬ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଆକ୍ରମଣ ସ୍ଥଳରୁ ଏଏନ୍‌ ୯୪ ରୁଷିଆ ଆସଲ୍ଟ ରାଇଫଲ୍‌ର ଗୁଳି ଏବଂ ଏକ ପିସ୍ତଲ ମିଳିଛି। କାନାଡା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ ଗତକାଲିର ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ ନେତା ଲରେନ୍ସ ବିଷ୍ଣୋଇଙ୍କ ଘନିଷ୍ଠ ସହଯୋଗୀ। ତିହାର ଜେଲ୍‌ରେ ଥିବା ବିଷ୍ଣୋଇ, ତାଙ୍କ ସହଯୋଗୀ ଏବଂ କାଲା ଜାଠେଡି ଓ କାଲା ରାଣାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ପଚରାଉଚରା କରିଛି।

Share