Categories: ଖେଳ

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଜଗରନଟ୍ସ

ଭୁବନେଶ୍ୱର,୨୮ା୧୨(ସରୋଜ ଜେନା) : କଟକର ଜବାହର ଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଜଗରନଟ୍ସ। ବୁଧବାର ଆରମ୍ଭରୁ ପଛୁଆ ରହିଥିବା ଜଗରନଟ୍ସ ଦୃଢ ପ୍ରତ୍ୟାବର୍ତ୍ତନ ସହିତ ୩୧-୨୮ରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଛି। ୩ ମ୍ୟାଚ୍‌ ଖେଳିଥିବା ଓଡ଼ିଶା ୨ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଦଳ ୮ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଦିବସର ପ୍ରଥମ ମ୍ୟାଚ୍‌ ଜିତିବା ସହିତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ତେଲୁଗୁ ଯୋଦ୍ଧାସ। ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ଦଳ ୩୮-୨୮ ବ୍ୟବଧାନରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଯୋଦ୍ଧାସ୍‌ ପକ୍ଷରୁ ରାହୁଲ ମଣ୍ଡଳ ସର୍ବାଧିକ ୧୦ ପଏଣ୍ଟ ସ୍କୋର କରିଥିଲେ। ଡିଫେଣ୍ଡର ପ୍ରତୀକ ଓ୍ବାଇକର ଓ ଆଦିତ୍ୟ ଗଣ ପୁଲେ ୩.୯୫ ମିନିଟ ମ୍ୟାଟ ଉପରେ ବିତାଇଥିଲେ। ଏହି ପରାଜୟ ସହିତ ରାଜସ୍ଥାନ ଲଗାତାର ୩ ମ୍ୟାଚରେ ହାରି ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି। ତେଲୁଗୁ ଯୋଦ୍ଧାସ ଏହାର ପରବର୍ତ୍ତୀ ମ୍ୟାଚ୍‌ ଟେବୁଲ ଟପ୍ପର ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ଖେଳିବ। ସେହିପରି ରାଜସ୍ଥାନ ଏହାର ପରବର୍ତ୍ତୀ ମ୍ୟାଚ୍‌ ଚେନ୍ନାଇ କ୍ୱିକ୍‌ ଗନ୍ସ ମଧ୍ୟରେ ଖେଳାଯିବ।

Share