Categories: ଖେଳ

ବିଜୟଧାରାକୁ ଫେରିଲା ଜଗରନଟ୍ସ

ଭୁବନେଶ୍ୱର,୪ା୧ (ସରୋଜ ଜେନା): କଟକର ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଚମତ୍କାର ଡିଫେନ୍ସ ଦେଖାଇ ବିଜୟ ଧାରାକୁ ଫେରିଛି ଓଡ଼ିଶା ଜଗରନଟ୍ସ। ବୁଧବାର ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ଓ୍ବାରିୟର୍ସକୁ ୩୨-୨୧ ପଏଣ୍ଟରେ ପରାସ୍ତ କରିଥିଲା ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ। ଦଳ ୧୦ ଡ୍ରିମ୍‌ ରନ୍‌ ପଏଣ୍ଟ ସ୍କୋର କରିଥିଲା। ପ୍ରଥମ ଟର୍ନରେ ଦଳର ଡିଫେଣ୍ଡର ୬.୨୨ ମିନିଟ ମ୍ୟାଟରେ ବିତାଇବା ସହ ୭ ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲେ। ପ୍ରଥମ ଥର ପାଇଁ ଡିଫେଣ୍ଡ କରୁଥିବା ଟିମ୍‌ ଅଗ୍ରଣୀ ହାସଲ କରିଥିଲା। ଟର୍ନ ୩ ବେଳକୁ ରାଜସ୍ଥାନ ମାତ୍ର ୩ ପଏଣ୍ଟରେ ଆଗୁଆ ରହିଥିଲା। ଅନ୍ତିମ ଟର୍ନରେ ଓଡ଼ିଶା ୧୪ ପଏଣ୍ଟ ସହ ସହଜ ବିଜୟ ହାସଲ କରିଥିଲା।
ପୂର୍ବରୁ ପ୍ରଥମ ମ୍ୟାଚରେ ତେଲୁଗୁ ଯୋଦ୍ଧାସ ୪୦-୨୨ରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଥିଲା। ପ୍ରଥମ ଟର୍ନର ଆଟାକରେ ଯୋଦ୍ଧାସ ୧୬ ପଏଣ୍ଟ ଅର୍ଜନ କରିଥିବା ବେଳେ ମୁମ୍ବାଇ ମାତ୍ର ଗୋଟିଏ ଡ୍ରିମ୍‌ ରନ୍‌ ହାସଲ କରିଥିଲା। ଏହାପରେ ଯୋଦ୍ଧାସ ଚମତ୍କାର ଡିଫେନ୍ସ ଦେଖାଇଥିଲା। ପ୍ରତୀକ ଓ୍ବାଇକାର, ଅବଧୂତ ପାଟିଲ ଓ ଆଦିତ୍ୟ ଗଣପୁଲେ ମ୍ୟାଟ୍‌ ଉପରେ ୫ ମିନିଟ ୧୭ ସେକେଣ୍ଡ ସମୟ ବିତାଇଥିଲେ। ଏହା ମଧ୍ୟରେ ୫ ଡ୍ରିମ ରନ୍‌ ସହିତ ଦଳର ଅଗ୍ରଣୀକୁ ୨୧-୭ରେ ପହଞ୍ଚାଇଥିଲେ। ତୃତୀୟ ଟର୍ନରେ ତେଲୁଗୁ ଯୋଦ୍ଧା ୨୯ ପଏଣ୍ଟରେ ଆଗୁଆ ରହିବା ସହ ବିଜୟ ନିଶ୍ଚିତ କରିଥିଲା। ଅନ୍ତିମ ଟର୍ନରେ ମୁମ୍ବାଇ ୧୧ ପଏଣ୍ଟ ଅର୍ଜନ କରିଥିଲେ ମଧ୍ୟ ୪୦-୨୨ରେ ପରାଜିତ ହୋଇଥିଲା।

Share