Categories: ଖେଳ

ଜଗରନଟ୍ସ, ଖିଲାଡିଜ୍‌ ବିଜୟୀ

ଭୁବନେଶ୍ୱର, ୮ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ସିଜନ୍‌ ୨ରେ ରବିବାର ବିଜୟ ହାସଲ କରିଛନ୍ତି ଓଡ଼ିଶା ଜଗରନଟ୍ସ ଓ ମୁମ୍ବାଇ ଖିଲାଡିଜ୍‌। ରବିବାର ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଖିଲାଡିଜ୍‌ ୨୯-୨୭ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଥିବା ବେଳେ ଏହି ବିଜୟ ସହିତ ମୁମ୍ବାଇ ୯ ମ୍ୟାଚ୍‌ରୁ ୨ ବିଜୟ, ୬ ପରାଜୟ ଓ ଗୋଟିଏ ଟାଇ ସହିତ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଗୋଟିଏ ବି ବିଜୟ ହାସଲ କରି ନ ଥିବା ରାଜସ୍ଥାନ ଓ୍ବାରିୟର୍ସ ସମାନ ୯ ମ୍ୟାଚ୍‌ରୁ ୯ ପରାଜୟ ସହ ମାତ୍ର ୨ ପଏଣ୍ଟ ଅର୍ଜନ କରି ଅନ୍ତିମ ସ୍ଥାନରେ ରହିଛି।
ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଜଗରନଟ୍ସ ଓ ତେଲୁଗୁ ଯୋଦ୍ଧାସ୍‌ ମଧ୍ୟରେ ଖେଳା ଯାଇଥିଲା। ଉଭୟ ଦଳ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ ମଧ୍ୟ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ୩୫-୨୭ ପଏଣ୍ଟରେ ତେଲୁଗୁ ଯୋଦ୍ଧାସ୍‌କୁ ପରାସ୍ତ କରିଥିଲା। ପ୍ରଥମ କ୍ୱାର୍ଟରର ପ୍ରଥମ ଟର୍ନରୁ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଥିଲା। ତେଲୁଗୁ ଯୋଦ୍ଧାସ୍‌ ଆଟାକ୍‌ କରିଥିଲେ ମଧ୍ୟ ମାତ୍ର ୧୦ ପଏଣ୍ଟ ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଗତ ମ୍ୟାଚ୍‌ର ହିରୋ ରୋହନ ସିଙ୍ଗାଡେ ପ୍ରଥମ ଟର୍ନରେ ଦୁଇଟି ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲେ। ପ୍ରଥମ ଟର୍ନରେ ତେଲୁଗୁ ଯୋଦ୍ଧାସ୍‌ ୧୦-୩ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ ଟର୍ନରେ ଓଡ଼ିଶାର ଆଟାକର୍‌ମାନେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଜଗରନଟ୍ସ ଦ୍ୱିତୀୟ ଟର୍ନରେ ୨୦ ପଏଣ୍ଟ ସ୍କୋର କରିଥିଲା। ଦ୍ୱିତୀୟ କ୍ୱାର୍ଟରର ତୃତୀୟ ଟର୍ନରେ ଜଗରନଟ୍ସର ୨ ବ୍ୟାଚ୍‌ ଡିଫେଣ୍ଡର ଆଉଟ ହୋଇଥିଲେ। ତେବେ ଏହି ରାଉଣ୍ଡରେ ମଧ୍ୟ ଦଳ ୨ ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲା। ଫଳରେ ଅନ୍ତିମ ଟର୍ନ ବେଳକୁ ଜଗରନଟ୍ସ ୧ ପଏଣ୍ଟରେ ଆଗୁଆ ରହିଥିଲା। ଶେଷ ଟର୍ନରେ ତେଲୁଗୁ ଯୋଦ୍ଧାସ୍‌ର ଡିଫେଣ୍ଡରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୪ ଡ୍ରିମ୍‌ ରନ୍‌ ପଏଣ୍ଟ ଅର୍ଜନ କରିଥିଲେ ମଧ୍ୟ ଜଗରନଟ୍ସର ବିଜୟ ରଥକୁ ରୋକିପାରି ନ ଥିଲେ।

Share