ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ରହିଗଲେ ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ଅଭିନୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜୁହିଙ୍କର ଆଜି ଜନ୍ମଦିନ। ସେ ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୭ ନଭେମ୍ବର ୧୩ରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଜୁହିଙ୍କ ବିଷୟରେ କିଛି କଥା…

ପାଠପଢ଼ା ସରିବା ପରେ ଜୁହି ୧୯୮୪ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେ ବିଜୟିନୀ ହୋଇଥିଲେ। ୯୦ ଦଶକରେ ଏକ ଚୁଲ୍‌ବୁଲି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ ଜୁହି। ଫିଲ୍ମ ‘ସୁଲତାନ’ ଜରିଆରେ ବଲିଉଡରେ ସେ ଡେବ୍ୟୁ କରିଥିଲେ। ଫିଲ୍ମଟି ଏକ ସୁପରଫ୍ଲପ୍‌ ହୋଇଥିଲା। ୨ ବର୍ଷ ପରେ ସେ ଫିଲ୍ମ ‘କୟାମତ ସେ କୟାମତ’ରେ ଅଭିନୟ କରିଥିଲେ। ଫିଲ୍ମଟି ବ୍ଲକବଷ୍ଟର ଥିଲା। ଏହି ଫିଲ୍ମ ଜୁହିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣି ଦେଇଥିଲା। ଜୁହି ହିନ୍ଦୀ ବ୍ୟତୀତ ବଙ୍ଗାଳୀ, ପଞ୍ଜାବୀ, ମାଲାୟାଲମ, ତାମିଲ, କନ୍ନଡ, ତେଲୁଗୁ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ଜୁହି ସଲମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

କିନ୍ତୁ ଜାଣନ୍ତି କି ସଲମାନ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କ ପିତାଙ୍କୁ ପଚାରିବାକୁ ଯାଇଥିଲେ ସଲମାନ। ଏହି କଥା ସଲମାନ ନିଜେ କହିଛନ୍ତି। ଏକ ସାକ୍ଷାତକାରରେ ସଲମାନ କହିଥିଲେ, ମୁଁ ଜୁହିଙ୍କ ବିବାହ ପ୍ରସ୍ତାବ ନେଇ ତାଙ୍କ ପିତାଙ୍କ ନିକଟକୁ ଯାଇଥିଲି। ତାଙ୍କୁ ପଚାରିଥିଲି ଜୁହିଙ୍କୁ ମୋ’ ସହ ବିବାହ କରିବେ କି? ମାତ୍ର ତାଙ୍କ ପିତା ମନା କରିଦେଇଥିଲେ। ବୋଧହୁଏ ସେମାନେ ମୋତେ ପସନ୍ଦ କଲେ ନାହିଁ। ଶେଷରେ ୧୯୯୫ରେ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ ଜୁହି।

Share