ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାଶନାଲ ସେଣ୍ଟର୍ସ ଫର୍‌ ଏନ୍‌ଭାଇରନମେଣ୍ଟାଲ ପ୍ରେଡିକ୍ସନ (ଏନ୍‌ସିଇପି) ରିପୋର୍ଟ ଅନୁସାରେ ଜୁଲାଇ ୩ ତାରିଖର ହାରାହାରି ବୈଶ୍ୱିକ ତାପମାତ୍ରା ୧୭.୦୧ ଡିଗ୍ରୀ ସେଲସିୟସ୍‌କୁ ବୃଦ୍ଧି ଘଟିଛି। ଏହାପୂର୍ବରୁ ୨୦୧୬ ଅଗଷ୍ଟରେ ଏହା ୧୬.୯୨ ଡିଗ୍ରୀ ସେଲସିୟସ୍‌ ଥିଲା ବୋଲି ଜଣାପଡ଼ିଛି।
ଊନ୍ନବିଂଶ ଶତାବ୍ଦୀ ପରଠାରୁ ଜୁଲାଇ ୩ରେ ବୈଜ୍ଞାନିକଙ୍କ ଦ୍ୱାରା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ ମତରେ ମନୁଷ୍ୟକୃତ କାରଣ ଯୋଗୁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଏଲ୍‌ ନିନୋର ମିଶ୍ରଣ ଯୋଗୁ ଦୈନିକ ତାପମାତ୍ରା ବୃଦ୍ଧି ପାଉଛି। ଆଗାମୀ ଦିନରେ ଏଲ୍‌ ନିନୋ ପ୍ରଭାବ ବଢ଼ିବାକୁ ଥିବାବେଳେ ବୈଶ୍ୱିକ ତାପମାତ୍ରାରେ ବୃଦ୍ଧି ଘଟିବା ଆଶଙ୍କା ରହିଛି। ଚଳିତବର୍ଷ ଆରମ୍ଭରୁ ଉଭୟ ସ୍ଥଳଭାଗ ଏବଂ ସମୁଦ୍ର ତାପମାତ୍ରା କ୍ରମାଗତ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ସ୍ପେନ୍‌ରେ ବସନ୍ତ ଋତୁକାଳୀନ ତାତି ରେକର୍ଡ ପରମାଣରେ ବୃଦ୍ଧି କରିଥିବାବେଳେ ଅନେକ ଏସୀୟ ଦେଶରେ ସାମୁଦ୍ରିକ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି। ସେହିପରି ଚାଇନାର ଅନେକ ଅଞ୍ଚଳର ତାପମାତ୍ରା ୩୫ଡିଗ୍ରୀ ସେଲସିୟସ୍‌ରୁ ଊର୍ଦ୍ଧ୍ୱ ରହିଛି। ଦକ୍ଷିଣ ଆମେରିକାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବଢ଼ୁଥିବା ତାପମାତ୍ରା ଯୋଗୁ ଭାରତରେ ମଧ୍ୟ ତାତି ଓ ମରୁଡ଼ି ପରିସ୍ଥିତି ଉପୁଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୈଜ୍ଞାନିକଙ୍କ ମତରେ ଚଳିତ ମାସରେ ଏଲ୍‌ ନିନୋ ସ୍ଥିତି ଲାଗିରହିବ, ଯାହାଫଳରେ ପ୍ରଶାନ୍ତ ମହାସାଗରୀୟ ତାପମାତ୍ରା ବୃଦ୍ଧି ପାଇବ।
ପ୍ରଥମଥର ପାଇଁ ଗ୍ଲୋବାଲ ସରଫେସ୍‌ ଏୟାର ଟେମ୍ପରେଚର ୧୭ ଡିଗ୍ରୀ ସେଲସିୟସ ବଢ଼ିଥିବା ପାଣିପାଗ ଗବେଷକ ଲେଓନ ସିମୋନ୍ସ କହିଛନ୍ତି। ପ୍ରତ୍ୟେକ ଦିନ ଏଲ୍‌ ନିନୋ ଦ୍ୱାରା ଲୋକେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷେ ଗତ ଜୁନ୍‌ରେ ବିଶ୍ୱର ହାରାହାରି ତାପମାତ୍ରା ୧.୪୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିଲା। ୟୁକ୍ରେନ୍‌ ଭର୍ନାଡସ୍କି’ ରିସର୍ଚ୍ଚ ରିପୋର୍ଟ ତଥ୍ୟ ଅନୁସାରେ ଚଳିତ ମାସରେ ଆଣ୍ଟାର୍କଟିକା ତାପମାତ୍ରା ୮.୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି। ଜୁଲାଇରେ ସର୍ବାଧିକ ତାତି ଅନୁଭୂତ ହେବାକୁ ଥିବାବେଳେ ଚଳିତ ବର୍ଷ ଏହା ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ୟୁନିଭର୍ସିଟି ଅଫ୍‌ ଲେଇପଜିଙ୍ଗର ପ୍ରଫେସର କାରଷ୍ଟେନ୍‌ ହାଉଷ୍ଟେନ୍‌ ମତ ରଖିଛନ୍ତି।

Share