ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ ଗତ ଶହେ ବର୍ଷ ମଧ୍ୟରେ ଜୁଲାଇ ମାସ ସବୁଠାରୁ ଉତ୍ତପ୍ତ ଥିଲା। ୟୁରୋପୀୟ ୟୁନିଅନ ଏବଂ ମେନ ୟୁନିଭରସିଟିର ଗ୍ରାଉଣ୍ଡ ଏବଂ ସାଟେଲାଇଟ ତଥ୍ୟ ବିଶ୍ଳେଷଣ କରି ପ୍ରାପ୍ତ ତଥ୍ୟକୁ ଆଧାର କରି ନାସା ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି।
ନାସାର ବିଶେଷଜ୍ଞ ଶିମିଟ କହିଛନ୍ତି ଯେ ଆମେ ସାରା ବିଶ୍ୱରେ ଅଦୃଶ୍ୟ ପରିବର୍ତ୍ତନ ଦେଖୁଛୁ। ଆମେରିକା, ୟୁରୋପ ଏବଂ ଚାଇନାରେ ପ୍ରବଳ ଗରମ ପବନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶିମିଟ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇଁ ଏଲ ନିନୋ ପ୍ରଭାବ ଏକମାତ୍ର କାରଣ ନୁହେଁ, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ପରିବେଶରେ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହେବା ଏବଂ ସେମାନଙ୍କର ହ୍ରାସର ଅଭାବ।
ଯଦିଓ ଶିମିଟ ଏହା ମଧ୍ୟ କହିଛନ୍ତି ଯେ ଏଲ ନିନୋ ପ୍ରଭାବ ମଧ୍ୟ ଏକ କାରଣ, ଯାହା ପାଇଁ ତାପମାତ୍ରା ବଢୁଛି। ୨୦୨୩ ସାମ୍ପ୍ରତିକ ବର୍ଷଗୁଡିକର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ। ଯଦିଓ ତଥ୍ୟ ବିଶ୍ଳେଷଣ କରିବା ପରେ ଏହା ନିଶ୍ଚିତ ହେବ, କିନ୍ତୁ ଅନେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ଏହାର ୮୦ପ୍ରତିଶତ ସମ୍ଭାବନା ଅଛ। ୨୦୨୪ରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଗାଭିନ ଶିମିଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଲ ନିନୋ ପ୍ରଭାବ ବର୍ତ୍ତମାନ ଉଭା ହୋଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଶିଖର ଛୁଇଁବ। ଏଲ ନିନୋର ପ୍ରଭାବ ହେତୁ ୨୦୨୪ରେ ଗରମ ଅଧିକ ହେବାର ସମ୍ଭାବନା ଅଛି।

Share