ଜେଲରେ ଜୁମା, ପ୍ରତିବାଦରେ ଅରାଜକତା

ଜୋହାନ୍ସବର୍ଗ/ଡର୍ବାନ,୧୪ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମା ଦୁର୍ନୀତି ମାମଲାରେ ଜେଲ୍‌ ଯିବା ପରେ ଦେଶର ବିଭିନ୍ନ ଭାଗରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ଗିରଫଦାରି ପ୍ରତିବାଦରେ ଗତ ସପ୍ତାହରେ ଆରମ୍ଭ ହୋଇଥିବା ବିକ୍ଷୋଭ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ଲୋକେ ପୋଡ଼ାଜଳା, ଭଙ୍ଗାରୁଜା ଓ ଲୁଟ୍‌ରେ ମାତିଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଓ ସେନା ପକ୍ଷରୁ ବଳ ପ୍ରୟୋଗ କରାଯାଇଛି। ବିକ୍ଷୋଭକାରୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୪୫ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଗଉଟେଙ୍ଗ୍‌ ଓ କ୍ୱାଜୁଲୁ-ନାଟାଲ ପ୍ରଦେଶର। ଏହି ଦୁଇ ପ୍ରଦେଶରେ ଲୋକେ ଦୋକାନଗୁଡ଼ିକରୁ ଖାଦ୍ୟ, ବୈଦ୍ୟୁତିକ ଉପକରଣ, ମଦ ଓ ବସ୍ତ୍ର ଚୋରି କରୁଥିବାବେଳେ ଦଳାଚକଟା ଏବଂ ଦଙ୍ଗା ସୃଷ୍ଟି ହୋଇଛି। ପ୍ରକାଶ ଯେ, ଜାକୋବ ଜୁମା ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବାବେଳେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ଶୁଣାଣି ବେଳେ ସେ କୋର୍ଟରେ ହାଜର ହେବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଅଦାଲତ ଅବମାନନା ମାମଲାରେ ୧୫ ମାସ ଜେଲ ଦଣ୍ଡାଦେଶ ଦିଆଯାଇଛି। ଗତ ଗୁରୁବାର ଜୁମା ଏହି ଦଣ୍ଡାଦେଶ ଭୋଗିବା ପାଇଁ ଜେଲ ଯାଇଛନ୍ତି। ଏହାର ପ୍ରତିବାଦରେ ଚାଲିଥିବା ହିଂସାମତ୍କ ଆନ୍ଦୋଳନରେ ସମ୍ପୃକ୍ତ ଶତାଧିକ ଲୋକ ଗିରଫ ହେଲେଣି।

Share