Advertisement

ବ୍ରିଜ୍‌ ଉପରୁ ଡେଇଁ ନିଖୋଜ

ସୁନାବେଡ଼ା,୨୮ା୯(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ବାପୁଜୀ କଲୋନିରେ ରହୁଥିବା ଚଣ୍ଡାଳ ଗରଡ଼ା(୬୧) ବୁଧବାର ରାତିରେ ଘରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଚଣ୍ଡାଳଙ୍କ କୌଣସି ପତ୍ତା ପାଇ ନ ଥିଲେ। ଗୁରୁବାର ଟିମ୍ବର ବ୍ରିଜ୍‌ ଉପରେ ଗୋଟିଏ ଲୁଙ୍ଗି, ହଳେ ଚପଲ ଓ ଗୋଟିଏ ଟର୍ଚ୍ଚ ଲାଇଟ ପାଇଥିଲେ। ଏହା ଚଣ୍ଡାଳଙ୍କ ବୋଲି ସମ୍ପର୍କୀୟମାନେ ଚିହ୍ନିପାରି ସୁନାବେଡା ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ସୁନାବେଡ଼ା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇଙ୍କ ସହ ଏଏସ୍‌ଆଇ ବାଳକୃଷ୍ଣ ରଥ,ଏଏସ୍‌ଆଇ ଜ୍ୟୋତ୍ସ୍ନାରାଣୀ ମିଶ୍ର ଓ କିଶୋର ଚନ୍ଦ୍ର ବେହରା ପହଞ୍ଚି ତଦନ୍ତ କରିବା ସହ ବ୍ରିଜ ଉପରୁ ସେ ପାଣିକୁ ଡେଇଁ ପଡିଥିବା ସନ୍ଦେହ କରି ସେମିଳିଗୁଡା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ପାର୍ଥସାରଥି ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ବୋଟ୍‌ ସାହାଯ୍ୟରେ ଦିନ ତମାମ ପାଣିରେ ଚଣ୍ଡାଳଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ମିଳିପାରିନାହିଁ । ପାଣିର ସ୍ରୋତ ଅଧିକ ରହୁଥିବାରୁ କୋରାପୁଟ ଓଡ୍ରାଫ ଟିମ୍‌ର ସହାୟତା ଲୋଡ଼ାଯାଇଛି। ଖବର ପାଇ କୋରାପୁଟ ବିଧାୟକ ରଘୁରାମ ପଡାଲ ଘଟଣାସ୍ଥଳରେ ପହଞ୍ଚି ପରିବାର ଓ ସମ୍ପର୍କୀୟଙ୍କୁ ପଚାରି ସାନ୍ତ୍ୱନା ଦେଇଥିଲେ। ସୂଚନାଯୋଗ୍ୟ, ଚଣ୍ଡାଳ ରହୁଥିବା କଲୋନିରେ କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।ବୁଧବାର ତାଙ୍କର ଏକାଦଶାହ ଭୋଜି ଥିଲା। ଚଣ୍ଡାଳ ଏହ ଭୋଜି ଖାଇସାରି ହଠାତ୍‌ କୁଆଡେ ଚାଲି ଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share