ଲମ୍ବା କେଶ ଥିବା ରାଜକୁମାରୀ ରାପୁନଜେଲ୍ର କାହାଣୀ ଅନେକେ ଶୁଣିଥିବେ। ନିଜ ଲମ୍ବା କେଶକୁ ସେ ସୁଉଚ୍ଚ ଦୁର୍ଗର ଝରକାରୁ ଲମ୍ବାଇ ଦେଇଥିଲେ, ଯାହା ଭୂମି ପର୍ଯ୍ୟନ୍ତ ଲମ୍ବି ଥିଲା। ଆଉ ରାଜକୁମାର ତାକୁ ଧରି ଚଢ଼ିଥିଲେ ଦୁର୍ଗ। ଏ ତ ଥିଲା ଏକ କାହାଣୀ। ହେଲେ ବାସ୍ତବରେ ଜଣେ ଯୁବତୀଙ୍କ କେଶ ଏତେ ଲମ୍ବା ଯେ, ସେ ସେଇ କେଶକୁ ଦୁଇ ହାତରେ ଧରି ସ୍କିପିଂ ଖେଳିପାରୁଛନ୍ତି। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ତେବେ ପଶ୍ଚିମ ଆଫ୍ରିକା, ଆବିଦଜାନସ୍ଥ ଆଇଭରି କୋଷ୍ଟର ୨୫ ବର୍ଷୀୟା ଚେରିଫ ଫତୌ ଲେତିତିଆ କାଏ ୨୦୨୧ ମାର୍ଚ୍ଚ ୨ ତାରିଖରେ ଏହା ସମ୍ଭବ କରିଦେଖାଇଥିଲେ। ସେ କାନର ଦୁଇ ପାର୍ଶ୍ୱରେ ନିଜର ଲମ୍ବା ଚୁଟିରେ ଦୁଇଟି ଲମ୍ବା ବେଣି କରି ତାକୁ ସାମ୍ନାଭାଗରେ ଯୋଡି ଦେଇଥିଲେ। ଫଳରେ ତାହା ସ୍କିପିଂ ଦଉଡି ପରି ହୋଇଯାଇଥିଲା। ଆଉ ତାକୁ ଦୁଇ ହାତରେ ଧରି ସ୍କିପିଂ ଦଉଡ଼ି ବୁଲାଇବା ପରି ଦୁଇ ହାତରେ ବୁଲାଇ ଡେଇଁ ଡେଇଁ ସ୍କିପିଂ ଖେଳିଥିଲେ। ୩୦ ସେକେଣ୍ଡରେ ସେ ୬୦ ଥର ଏଭଳିଭାବେ କେଶରେ ସ୍କିପିଂ ଖେଳି ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲେ। ଖାଲି ସେତିକି ନୁହେଁ, ସେ ନିଜର କେଶରେ ବିଭିନ୍ନ ସ୍ଥାପତ୍ୟ ବି କରନ୍ତି। ଅର୍ଥାତ୍ ଚୁଟିକୁ ବିଭିନ୍ନ ପ୍ରକାର ଆକାର ଦେଇ ମୁଣ୍ଡରେ ସୁନ୍ଦର କଳାକୃତିମାନ ତିଆରି କରିପାରନ୍ତି। ଯେଉଁଥିପାଇଁ ସେ ବେଶ୍ ଚର୍ଚ୍ଚାରେ ରୁହନ୍ତି।