ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୭।୧: କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧ୍ୟାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ବିକାଶ କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଜୁନାଗଡ଼ ସହରର ଶିକ୍ଷାପ୍ରେମୀ, ସ୍କୁଲର ପୁରାତନ ଛାତ୍ର, ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କମିଟି, ବିଧାୟକଙ୍କ ପ୍ରତିନିଧି, ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ମନ୍ତ୍ରୀ କ୍ୟାପଟେନ ମିଶ୍ରଙ୍କୁ ଧନ୍ୟବାଦ ଜଣାଯାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପିମଣି ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଏସ୍‌ଏମ୍‌ଡିସି ସଭାପତି ସନ୍ତୋଷ କୁମାର ସିଂହଦେଓ, ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏଶନର ସଭାପତି ସମୀର କୁମାର ସାହୁ, ଶିକ୍ଷକ ସୁଧୀର ବେହେରା, ପୂରାତନ ଛାତ୍ର ଖଗେଶ୍ୱର ଧଙ୍ଗଡ଼ା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Share