ସରିଲା ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ

ଭବାନୀପାଟଣା,୧୦।୧(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ୩ ଦିନ ଧରି ଚାଲିଥିବା ବ୍ଲକ ଏବଂ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ ହୋଇଯାଇଛି। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଯୋଗଦେଇଥିଲେ। କଳାହାଣ୍ଡିର ଲୋକକଳା ଓ ସଂସ୍କୃତି ଆଜି ବିଶ୍ୱ ଦରବାରରେ ପରିଚିତ। ତେଣୁ ଏହାକୁ ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏକ ଜୁଟ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉଦ୍‌ଯାପନୀ ସନ୍ଧ୍ୟାକୁ ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଓ ତାଙ୍କ ଟିମ୍‌ ଆହୁରି ରଙ୍ଗାରଙ୍ଗ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ଅସୀମା ଦର୍ଶକଙ୍କୁ ଭେଟି ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁନ୍ଦର ଗୀତ; ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା। ତାଙ୍କ ଗୀତରେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ। ଶେଷ ଦିନରେ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା।

Share