ଜୁନାଗଡ଼ ଏନ୍‌ଏସି: ୨୭ରେ ଅନାସ୍ଥା ଭୋଟ

ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ହେବ। ଏନେଇ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ସ୍ଥାନୀୟ ୯ ଜଣ ବିଜେଡି କାଉନସିଲର ଓ ଉପାଧ୍ୟକ୍ଷା ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ୨ଥର ତାରିଖ ମଧ୍ୟ ଘୋଷଣା କରିଥିଲେ। ହେଲେ ଉକ୍ତ ତାରିଖଗୁଡିକରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଆସୁ ନ ଥିବାରୁ ଅନାସ୍ଥା ଭୋଟ ଘୁଞ୍ଚି ଚାଲିଛି। ତାହାକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୧୨ ୱାର୍ଡବିଶିଷ୍ଟ ଜୁନାଗଡ଼ ଏନ୍‌ଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି। ଭାଜପାର ମୁକେଶ ଅଗ୍ରୱାଲ ଏଠାରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନ୍‌ଏସି ଅଧ୍ୟକ୍ଷଙ୍କ ମନମୁଖି କାମ ଅଭିଯୋଗ କରି ଜୁଲାଇ ୧୬ରେ ଜିଲାପାଳଙ୍କୁ ଭେଟି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବିଜେଡି କାଉନସିଲର। ପ୍ରଥମେ ଅଗଷ୍ଟ ୧ରେ ଅନାସ୍ଥା ଭୋଟ କରିବାକୁ ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦିନ ୧୧ଟାବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଆସି ନ ଥିଲେ। ପରେ ଅଗଷ୍ଟ ୯ରେ ଅନାସ୍ଥା ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉକ୍ତ ଦିନ ନିର୍ବାଚନ ଅଧିକାରୀ ଆସି ନ ଥିଲେ। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର କରି ଆସନ୍ତା ୨୭ରେ ଅନାସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଜେଡି କାଉନସିଲରମାନେ ଜିଲାପାଳଙ୍କୁ ସାକ୍ଷାତକରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଏହା ସହ ଗଣମାଧ୍ୟମକୁ ନିର୍ଦ୍ଦେଶନାମା ଦେଖାଇଛନ୍ତି।

Share