କେନ୍ଦୁଝର,୨୧ା୪ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)କେନ୍ଦୁଝର ଜିଲା ସରକାରୀ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ରହୁଥିବା ଛାତ୍ରଙ୍କୁ ଜଣ୍ଡିସ ବ୍ୟାପୁଥିବା ଘଟଣା ଆଲୋଚ୍ୟର ବିଷୟ ହୋଇଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୮ ଜଣଙ୍କୁ ଜଣ୍ଡିସ ହୋଇଥିବା ଜଣାପଡ଼ିଛି। ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଘରକୁ ନେଇଯାଇଥିବା ବେଳେ କେତେଜଣ ହଷ୍ଟେଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କେଉଁ କାରଣରୁ ଜଣ୍ଡିସ ବ୍ୟାପିଛି ଜଣାପଡି ନ ଥିଲେ ହେଁ ମଇଳା ପାଣି ପାଇଁ ବ୍ୟାପିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ପରୀକ୍ଷା ପରେ ଜଣ୍ଡିସ୍ ହୋଇଥିବା ଜଣାପଡ଼ିଥିଲା। ପରେ ଅନ୍ୟ ୧୭ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇ ଅସୁସ୍ଥ ମନେ କରିଥିଲେ। ଖବର ପାଇ ଶୁକ୍ରବାର ଜିଲା ମୁଖ୍ୟ ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍ ପିଲାମାନଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରୁ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରି ଯାଞ୍ଚ କରିଥିବା ଜଣାପଡ଼ିଛି। ଏ ନେଇ ଅଧ୍ୟକ୍ଷ ତ୍ରିଲୋଚନ ସାହୁ କହିଛନ୍ତି, ଜଣ୍ଡିସ ବ୍ୟାପିବାର କାରଣ ଜଣାପଡ଼ିନାହିଁ। ତେବେ ମେଡିକାଲ ଟିମ୍ ରକ୍ତ ଓ ପାଣି ନମୁନା ଯାଞ୍ଚ କରିବାକୁ ନେଇଛନ୍ତି। କଲେଜ ପକ୍ଷରୁ ମଧ୍ୟ ପାଣି ନମୁନା ଯାଞ୍ଚ ପାଇଁ ଭୁବନେଶ୍ୱର ସ୍ଥିତ ଲାବୋରଟୋରିକୁ ପଠାଯାଇଛି। କେତେ ଜଣ ପିଲା ତାଙ୍କ ଅଭିଭାବକଙ୍କ ସହିତ ଘରକୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଖବର ପାଇବା ପରେ ଡାକ୍ତରୀ ଟିମ୍ ଯାଇ ପିଲାମାନେ ବ୍ୟବହାର କରୁଥିବା ପାଣିର ୪ ସ୍ଥାନରୁ ନମୁନା ସଂଗ୍ରହ କରି ଯାଞ୍ଚ କରାଯାଉଛି। ସେହିପରି ହଷ୍ଟେଲରେ ଥିବା ୧୨ ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା। ଗୋଟିଏ ପିଲାର ହେପାଟାଇଟିସ ଏ ପଜିଟିଭ ବାହାରିଛି। ଅନ୍ୟ ୬ ଜଣଙ୍କ ଜଣ୍ଡିସ୍ ପଜିଟିଭ ବାହାରିଥିବା ବେଳେ ଅନ୍ୟ ୫ ଜଣଙ୍କ ରକ୍ତ ନମୁନା ଠିକ୍ ରହିଛି। ପାଣି ନମୁନା ମଧ୍ୟ ଠିକ୍ ରହିଛି। ପରିସ୍ଥିତି ଉପରେ ନଜର ରଖାଯାଇଛି। ନିୟମିତ ଯାଞ୍ଚ କରାଯିବ। ସେହିପରି ପାଣି ନମୁନାରେ ସେଭଳି କିଛି ବାହାରି ନାହିଁ ବୋଲି ସେ କହିଛନ୍ତି।