ରାଜ୍ୟ ପାଇଁ ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ଜୁନ୍‌ରୁ ଅକ୍ଟୋବର ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଯେଉଁଥିରେ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବନା ରହିଥାଏ। ଏହି ସମୟରେ ସମସ୍ତ ବିଭାଗ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜିଲାସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ୍‌ ଦିନରାତି କାର୍ଯ୍ୟକ୍ଷମ ହେବ। ରିଅଲ-ଟାଇମ ପାଣିପାଗ ଏବଂ ଡିଜାଷ୍ଟର ସମ୍ବନ୍ଧୀୟ ସମସ୍ତ ବିଷୟ ଜାଣିବା ପାଇଁ ‘ସତର୍କ’ ଓ୍ବେବ୍‌ ଏବଂ ମୋବାଇଲ ଆପ୍‌ ଖୋଲାଯାଇଛି। ମୂଲ୍ୟବାନ ମାନବ ଜୀବନ ବଞ୍ଚାଇବା ପାଇଁ ନାଗରିକମାନଙ୍କୁ ସମସ୍ତ ବିପର୍ଯ୍ୟୟ ଉପରେ ଅବସ୍ଥାନ-ଆଧାରିତ ସୂଚନା ଯୋଗାଯୋଗ କରିବା ପାଇଁ ଏହା ଏକ ଓ୍ବିଣ୍ଡୋ ପ୍ଲାଟଫର୍ମ ହେବ ବୋଲି ନିଷ୍ପତ୍ତି ହୋଇଛି। ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ଏବଂ ଆର୍‌ଡି ବିଭାଗ ଦୁର୍ବଳ ତଥା ଅପହଞ୍ଚ ଅଞ୍ଚଳରେ ପର୍ଯ୍ୟାପ୍ତ ଗୋରୁଖାଦ୍ୟ ସଂରକ୍ଷଣ କରି ରଖିବାକୁ ପରାମର୍ଶ ଦିଆଯାଇଛି। ସବୁଜ ଚାରା ପାଇଁ ବ୍ୟବସ୍ଥା ଏବଂ ବନ୍ୟା ସମୟରେ ଗୋରୁ ଶିବିର ଖୋଲିବା ନିଶ୍ଚିତ ହେବା ଆବଶ୍ୟକ। ସ୍ବେଚ୍ଛାସେବୀମାନେ ଗର୍ଭବତୀ ମହିଳା, ଶାରୀରିକ ତଥା ମାନସିକ ସ୍ତରରେ ଦୁର୍ବଳ, ଛୋଟ ପିଲା, ବିଧବା ଏବଂ ବୃଦ୍ଧଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମୟରେ ବିଶେଷ ଧ୍ୟାନ ଦେବେ। ତୁରନ୍ତ ରିଲିଫ ଲାଇନ୍‌ଗୁଡିକର କ୍ଲିୟରାନ୍ସ, ଲାଇଫ୍‌ ଲାଇନ ଭିତ୍ତିଭୂମିର ମରାମତି ଏବଂ ପୁନରୁଦ୍ଧାର ଏବଂ ବିପର୍ଯ୍ୟୟ ପରେ ଜୀବିକାର ପୁନରୁଦ୍ଧାର ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି।

Share