Categories: ଜାତୀୟ

ଗୁଜରାଟରେ ପୁଣି ପେପର ଲିକ୍‌, ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷା ରଦ୍ଦ

ଗାନ୍ଧୀନଗର,୨୯ ।୧: ଗୁଜରାଟରେ ପୁଣିଥରେ ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ୨୯ ଜାନୁୟାରୀ ଅର୍ଥାତ୍ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷାକୁ ରଦ୍ଦ କରିବାକୁ ପଡିଛି । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ବଡୋଦରା ପୋଲିସକୁ ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ନିକଟରେ ପେପରର କପି ମିଳିଥିଲା । ଯୁବକଙ୍କୁ ଗିରଫ କରାଯାଇଛି । ରବିବାର ସକାଳ ୧୧ଟାରେ ପରୀକ୍ଷା ହେବାକୁ ଥିଲା । ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନ ଯିବାକୁ ସୂଚନା ଦିଆଯାଇଛି । ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ପୁଣିଥରେ ପରୀକ୍ଷା କେବେ ହେବ । ପରୀକ୍ଷା ରଦ୍ଦ ହେବା ଫଳରେ ପ୍ରାୟ ୯ ଲକ୍ଷ ୫୩ ହଜାର ଆଶାୟୀଙ୍କ ପରିଶ୍ରମ ବୃଥା ଯାଇଛି ।
କରୋନା ମହାମାରୀ ପରେ ଓ ଗୁଜରାଟ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସବୁଠାରୁ ବଡ ରିକ୍ୟୁଟମେଣ୍ଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ପଞ୍ଚାୟତ ସେବା ଚୟନ ବୋର୍ଡ ପକ୍ଷରୁ ରବିବାର କ୍ଲାସ ୩ ଜୁନିୟର କ୍ଲର୍କରେ ମୋଟ ୧ହଜାର ୧୮୫ ପଦରେ ଭର୍ତ୍ତି ପାଇଁ ପରୀକ୍ଷାର ଆୟୋଜନ କରାଯାଇଥିଲା । ଏଥିପାଇଁ ୯ ଲକ୍ଷ ୫୩ ହଜାରରୁ ଅଧିକ ପରୀକ୍ଷାର୍ଥି ଥିବା ବେଳେ ୨ ହଜାର ୯୯୫ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିଲା ।

Share