ପ୍ରଶଂସକଙ୍କ ସହ ଥଟ୍ଟା ହେଲେ ଜୁନିୟର ଏନ୍‌ଟିଆର୍‌

ମୁମ୍ବାଇ: ନିକଟରେ ୯୫ତମ ଏକାଡେମୀ ଆୱାଡର୍‌ସରେ ଭାରତର ୨ଟି ଫିଲ୍ମ ପୁରସ୍କୃତ ହୋଇଛି। ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦେଶ ତଥା ବିଶ୍ୱବାସୀଙ୍କ ମନ ଜିଣିଥିଲେ ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆର୍‌। ଏହି ପୁରସ୍କାର ପରେ ଏବେ ତାଙ୍କ ସହ ବହୁ ଅଭିନେତା କାମ କରିବାକୁ ଚାହଁୁଛନ୍ତି। ଏହା ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ କ’ଣ ହେବ, ତାହା ଜାଣିବାକୁ ପ୍ରଶଂସକ ଉତ୍ସାହିତ ଅଛନ୍ତି। ତେବେ ପ୍ରଶଂସକଙ୍କ ଏପରି ପ୍ରଶ୍ନରେ ସେ ଆଉ ଫିଲ୍ମ କରିବେନି ବୋଲି କହିଛନ୍ତି। ଅଭିନେତା ପ୍ରଶଂସକଙ୍କ ସହ ଥଟ୍ଟାକରି ଏପରି କହିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଜୁନିୟର ଏନ୍‌ଟିଆର୍‌ ହାଇଦ୍ରାବାଦରେ ଏକ ସିନେମାର ପ୍ରି-ରିଲିଜ୍‌ ଇଭେଣ୍ଟରେ ପହଞ୍ଚିଥିଲେ। ସେଠାରେ ପ୍ରଶଂସକ ତାଙ୍କୁ ଦେଖି ଉତ୍ସାହିତ ହୋଇ ତାଙ୍କ ଆଗାମୀ ଚଳଚ୍ଚିତ୍ର ବାବଦରେ ପଚାରିଥିଲେ। ବାରମ୍ବାର ଏପରି ପ୍ରଶ୍ନ ଶୁଣି ସେ ମଜାରେ ଆଗକୁ ଫିଲ୍ମ କରୁନାହାନ୍ତି ବୋଲି କହିଥିଲେ। ପରେ ସେ ଆଗକୁ ଚଳଚ୍ଚିତ୍ର କରିବା ଜାରି ରଖିବେ ବୋଲି କହିଥିଲେ। ତେବେ ସେ ତାଙ୍କ ଆଗାମୀ କୌଣସି ସିନେମା ପାଇଁ ତଥ୍ୟ ଦେଇନାହାନ୍ତି।

Share