ନୂଆଦିଲ୍ଲୀ, ୨୦ା୭: ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୪ ମାସ ମଧ୍ୟରେ ୮ ଚିତାଙ୍କ ମୃତ୍ୟୁ ଘଟିବା ‘ଠିକ୍ ଛବି’ ଉପସ୍ଥାପନ କରୁନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି।
ଏହାକୁ କେନ୍ଦ୍ର ସରକାର ସମ୍ମାନର ପ୍ରସଙ୍ଗ ଭାବେ ନ ନେଇ ଚିତାଗୁଡ଼ିକୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବା ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି। ଚିତାଗୁଡ଼ିକର ମୃତ୍ୟୁକୁ ନେଇ ଜଷ୍ଟିସ ବି.ଆର୍. ଗଭାଇ, ଜେ.ବି. ପର୍ଡିଓ୍ବାଲା ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିବା ସହ ମୃତ୍ୟୁର କାରଣ ଏବଂ ଏହାର ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇଥିଲା ସତ୍ୟପାଠ ଜରିଆରେ ଜଣାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଦେଶରୁ ଅଣାଯାଇଥିବା ୨୦ ଚିତା ମଧ୍ୟରୁ ୮ଟିର ମୃତ୍ୟୁ ଘଟିଲାଣି। ଜଳବାୟୁ ଅନୁକୂଳ ହେଉନାହିଁ, ନା ଅନ୍ୟ କୌଣସି କାରଣରୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ।