ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ୍‌ ବିଶ୍ୱନାଥ, କହିଲେ-ମା’ ସାଆନ୍ତାଣୀଙ୍କ ଅନୁମତି ନେଇ…

ପୁରୀ,୧୪।୭: ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଶୁଭ ମୂହୁର୍ତ୍ତରେ ଏହା ଖୋଲାଯିବାକୁ ଥିବା ବେଳେ ତା ପୂର୍ବରୁ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରି ରତ୍ନଭଣ୍ଡାର ଖୋଲିବାକୁ ଆଶୀର୍ବାଦ ଭିକ୍ଷା କଲୁ। ଆଜି ସୁନିଶ୍ଚିତ ଭାବେ ଖୋଲିବ ରତ୍ନଭଣ୍ଡାର। ଦିଗ ୧ଟା ପରେ ଶୁଭ ମୂହୁର୍ତ୍ତ ଅଛି। ଏଣୁ ୧୦ଟାରେ ବୈଠକ ପରେ ସମୟ ସ୍ଥିର କରାଯିବ।

ଏହାଛଡ଼ା ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସକାଳୁ ମା’ ବିମଳାଙ୍କ ପୂଜାର୍ଚ୍ଚନା କରାଯାଉଛି। ଶ୍ରୀମନ୍ଦିରରେ ପ୍ରବେଶ କଲେ ପ୍ରଥମେ ମା’ଙ୍କ ଦର୍ଶନ କରିବୁ। ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ଦର୍ଶନ କରି ଅନୁମତି ନେବୁ। ମା’ ସାଆନ୍ତାଣୀ ଭଣ୍ଡାର ଘରର ମାଲିକାଣୀ। ତାଙ୍କ ଅନୁମତି ନେଇ ରତ୍ନଭଣ୍ଡାରରେ ପଶିବୁ ବୋଲି ଜଷ୍ଟିସ ରଥ କହିଛନ୍ତି।

ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଥିଲା। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍‌ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।

Share