Categories: ଜାତୀୟ

ସିଜେଆଇ ଭାବେ ୧ ବର୍ଷ ପୂରଣ କଲେ ଜଷ୍ଟିସ୍‌ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୯ା୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଗୁରୁବାର ବର୍ଷେ ପୂରଣ କରିଛନ୍ତି। ଦେଶର ନାଗରିକମାନଙ୍କ ପାଇଁ ନ୍ୟାୟପାଳିକା ରହିଛି ଓ ସବୁବେଳେ ରହିବ ବୋଲି ଏହି ଅବସରରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ସେମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ନ୍ୟାୟପାଳିକା ରହିଛି, ଏନେଇ ଜନସାଧାରଣଙ୍କ ଆତ୍ମବିଶ୍ୱାସ ରହିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ କହିଛନ୍ତି। ସେ ମୌଳିକ ପ୍ରସଙ୍ଗଗୁଡ଼ିକ ଉପରେ ରାୟ ପ୍ରଦାନ କରିଆସିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଦକ୍ଷତା ବଢ଼ାଇବା ପାଇଁ ସଂସ୍କାର ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ୬୩ ବର୍ଷୀୟ ଜଷ୍ଟିସ୍‌ ଚନ୍ଦ୍ରଚୂଡ ଗତବର୍ଷ ନଭେମ୍ବର ୯ରେ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଏହି ପଦବୀରେ ଆହୁରି ବର୍ଷେ ରହିବେ। ଗତ ବର୍ଷକ ମଧ୍ୟରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଆବେଦନକୁ ଅଗ୍ରାହ୍ୟ କରିଦେବା ତାଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାୟ।

Share