ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି ସମସ୍ୟା ସମଗ୍ର ମାନବଜାତିକୁ ବିପଦରେ ପକାଇଛି। ଏସବୁ ଭିତରେ ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ ହୁଏ ଅନ୍ତର୍ଜାତୀୟ ନ୍ୟାୟ ଦିବସ।
ଅନ୍ତଃରାଷ୍ଟ୍ରୀୟ ନ୍ୟାୟ ଦିବସ ଅନ୍ତଃରାଷ୍ଟ୍ରୀୟ ଆପରାଧିକ ନ୍ୟାୟ ଦିବସ ଭାବେ ଜଣାଶୁଣା। ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ ବାଦ୍ଦେଲେ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗର ଆପୋସ ସମାଧାନ କରିବା, ସୁରକ୍ଷା, ସଦ୍ଭାବନା, ସଂହତିକୁ ଗୁରୁତ୍ୱ ଦେଇ ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା ଏହାର ଆଉ ଏକ ଲକ୍ଷ୍ୟ। ଏହି ଦିବସ ସେହିମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ନ୍ୟାୟକୁ ସମର୍ଥନ କରିଥାଆନ୍ତି ଏବଂ ପୀଡ଼ିତଙ୍କ ଅଧିକାର ଦାବି କରି ସ୍ବର ଉଠାଇଥାଆନ୍ତି।
ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)ର ମୂଳଦୁଆ ପଛରେ ରହିଛି ରୋମ ସମ୍ମେଳନର ପ୍ରମୁଖ ଭୂମିକା। ପୃଥିବୀର ପ୍ରତି ନିଷ୍ପେସିତ, ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରୋମ ସମ୍ମେଳନର ବର୍ଷପୂର୍ତ୍ତି ଅବସରରେ ସମ୍ମିଳିତ ହୋଇଥିବା ରାଷ୍ଟ୍ରସମୂହ ସ୍ବତନ୍ତ୍ର ଭାବେ ଏକ ଅନ୍ତଃରାଷ୍ଟ୍ରୀୟ କ୍ରିମିନାଲ କୋର୍ଟ ସ୍ଥାପନ କରିବା ଲାଗି ସହମତି ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏଥିଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୦୨ ଜୁଲାଇ ୧ଠାରୁ ନେଦରଲାଣ୍ଡର ହେଗ୍ ସହରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ଆଇସିସି। ଅଦ୍ୟାବଧି ଏଥିରେ ୧୨୩ ଦେଶ ସଦସ୍ୟ ଅଛନ୍ତି।
ଆଇସିସି ହେଉଛି ସ୍ବତନ୍ତ୍ର ଅନ୍ତଃରାଷ୍ଟ୍ରୀୟ ନ୍ୟାୟିକ ସଂସ୍ଥାନ। ବିଶ୍ୱସ୍ତରରେ ହେଉଥିବା ଜଘନ୍ୟ ମାନବାଧିକାର ଉଲ୍ଲଂଘନ ମାମଲାଗୁଡ଼ିକର ଶୁଣାଣି ଏଠାରେ ହୋଇଥାଏ। ଗଣସଂହାର, ଯୁଦ୍ଧ ଅପରାଧ, ମାନବତା ପ୍ରତି ବିପଦ ଥିବା ପ୍ରତ୍ୟେକ ମାମଲାର ଶୁଣାଣି ଏହି କୋର୍ଟରେ କରାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଇସିସି କୌଣସି ରାଷ୍ଟ୍ରର କୋର୍ଟକଚେରି ମାମଲାରେ ହସ୍ତକ୍ଷେପ କରେନାହିଁ। ଯଦି କୌଣସି ଦେଶ ଅପରାଧୀଙ୍କ ବିରୋଧରେ ମକଦ୍ଦମା କରିବାକୁ ପଛଘୁଞ୍ଚା ଦିଏ କିମ୍ବା ମାନବତା ବିପଦରେ ପଡ଼ିଥିବା ଭଳି ଅଭିଯୋଗ ଆସିଲେ, ଆଇସିସିରେ ମାମଲାର ବିଚାର ହୋଇଥାଏ। ଅନ୍ତର୍ଜାତୀୟ ନ୍ୟାୟ ଦିବସର ମୌଳିକ ଉଦ୍ଦେଶ୍ୟର ପ୍ରଚାର ପ୍ରସାର କରିବା ଲାଗି ପ୍ରତିବର୍ଷ ଜୁଲାଇ ୧୭ରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଅନ୍ତଃରାଷ୍ଟ୍ରୀୟ ମଞ୍ଚ, ଗଣମାଧ୍ୟମରେ ସ୍ବତନ୍ତ୍ର ଶୋ’ ପ୍ରଦର୍ଶିତ ହୋଇଥାଏ। ମହିଳା ହିଂସା, ନରସଂହାର ଭଳି ଜଘନ୍ୟ ଅପରାଧ ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଏ।