Categories: ଜାତୀୟ

ଅବସର ନେଲେ ଜଷ୍ଟିସ୍‌ ଖାନ୍‌ଓ୍ବିଲକର

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ବିଦାୟୀ ସମ୍ବର୍ଦ୍ଧନା ବେଳେ ସେ ବାର୍‌ ଆସୋସିଏଶନ୍‌ ନେତାମାନଙ୍କୁ ସେମାନଙ୍କ ସ୍ନେହ ଓ ସଦ୍ଦିଚ୍ଛା ପାଇଁ ଧନ୍ୟବାଦ ଦେଇଛନ୍ତି। ୨୦୧୬ ମେ’ ୧୩ରେ ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ପାଇଥିବା ଜଷ୍ଟିସ୍‌ ଖାନ୍‌ଓ୍ବିଲକର ବିଗତ ୫ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଥିଲେ। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୩ ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେବା ଏବଂ ଆଧାର ମାମଲାର ବିଚାର ଖାନ୍‌ଓ୍ବିଲକରଙ୍କ ଖଣ୍ଡପୀଠରେ ହୋଇଥିଲା। ସେହିପରି ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ମନି ଲଣ୍ଡରିଂ ମାମଲାରେ ତଲାସି, ସମ୍ପତ୍ତି ବାଜ୍ୟାପ୍ତ ଓ ଗିରଫ କ୍ଷମତା ପ୍ରଦାନକାରୀ ରାୟ ମଧ୍ୟ ଖାନ୍‌ଓ୍ବିକର ଦେଇଥିଲେ। ୧୯୫୭ ଜୁଲାଇ ୩୦ରେ ପୁଣେରେ ଜନ୍ମିତ ଖାନ୍‌ଓ୍ବିଲକର ମୁମ୍ବାଇର ଏକ ଲ’ କଲେଜରେ ଏଲ୍‌ଏଲ୍‌ବି ଶିକ୍ଷା ଗ୍ରହଣ କରିଥିଲେ। ୨୦୦୦ ମାର୍ଚ୍ଚ ୨୯ରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ।

Share