Categories: ଜାତୀୟ

ସୁପ୍ରିମକୋର୍ଟରେ ଜଷ୍ଟିସ ମିତ୍ତଲ କମିଟିର କ୍ଷତିପୂରଣ ଯୋଜନା ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୨ା୮: ମଣିପୁର ଜାତିଆଣ ହିଂସା କ୍ଷତିଗ୍ରସ୍ତଙ୍କୁ ସହାୟତା ଏବଂ ଥଇଥାନ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସୁପ୍ରିମକୋର୍ଟ ଜଷ୍ଟିସ ଗୀତା ମିତ୍ତଲ କମିଟି ଗଠନ କରିଥିଲେ। ସୋମବାର ଏହି କମିଟି ୩ଟି ରିପୋର୍ଟ ଦାଖଲ କରିଛି। କ୍ଷତିଗ୍ରସ୍ତଙ୍କ ପରିଚୟ ଦସ୍ତାବିଜ ପୁନର୍ବାର ପ୍ରସ୍ତୁତ କରାଯିବା, କ୍ଷତିପୂରଣ ପରିମାଣ ବଢ଼ାଇବା ଏବଂ କମିଟିର କାର୍ଯ୍ୟକାରିତାରେ ସୁବିଧା ପାଇଁ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରିବା ନିମନ୍ତେ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ସର୍ବୋଚ୍ଚ ଅଦାଲତ ରିପୋର୍ଟକୁ ବିଚାରକୁ ନେବା ପରେ ଜଷ୍ଟିସ ମିତ୍ତଲ କମିଟିର କାର୍ଯ୍ୟକାରିତାରେ ସୁବିଧା, ପ୍ରଶାସନିକ ଆବଶ୍ୟକତା ଏବଂ ପ୍ରଶାସନିକ ଖର୍ଚ୍ଚ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ଆସନ୍ତା ୨୫ ତାରିଖରେ କେତେକ ପ୍ରକ୍ରିୟାଗତ ନିର୍ଦ୍ଦେଶନାମା ଜାରି କରିବେ ବୋଲି କହିଛନ୍ତି। କମିଟି କାର୍ଯ୍ୟର ଆବଶ୍ୟକ ପ୍ରଚାର ଲାଗି ଓ୍ବେବ୍‌ ପୋର୍ଟାଲ ସ୍ଥାପନ କରାଯିବ। ଗତ ୭ ତାରିଖରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ହାଇକୋର୍ଟର ୩ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ କମିଟି ଗଠନ କରିଥିଲେ। ହିଂସାକାଣ୍ଡ କ୍ଷତିଗ୍ରସ୍ତଙ୍କୁ ସହାୟତା ଓ ଥଇଥାନର ଏବଂ କ୍ଷତିପୂରଣ ପ୍ରଦାନର ତଦାରଖ କରିବାକୁ କମିଟିକୁ କୁହାଯାଇଥିଲା। ଏହା ବ୍ୟତୀତ ହିଂସା ସମ୍ପର୍କିତ ଆପରାଧିକ ମାମଲାଗୁଡ଼ିକର ତଦନ୍ତ ଅନୁଧ୍ୟାନ ଲାଗି ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦତ୍ତାତ୍ରୟ ପଦସାଲିଗିକରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

Share