ଜଷ୍ଟିସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ/ କଟକ ଅଫିସ୍‌: ୧।୧:ଜଷ୍ଟିସ ଏସ୍‌. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ଗତ ୧୪ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ସୁପାରିସ କରିଥିଲେ। ସେହିପରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ୍‌ ମୁରଲୀଧର ୧୯୮୪ରେ ଚେନ୍ନାଇରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୮୭ରେ ସେ ଦିଲ୍ଲୀରେ ଓକିଲାତି କରିଥିଲେ ଏବଂ ୨୦୦୬ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ସେହିପରି ତେଲଙ୍ଗାନା ହାଇକୋର୍ଟ ବିଚାରପତି ହିମା କୋହଲି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିବାବେଳେ କୋଲ୍‌କାତା ହାଇକୋର୍ଟ ବିଚାରପତି ସଞ୍ଜୀବ ବାନାର୍ଜୀ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଥିବା ପଙ୍କଜ ମିଥଲ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ଦିଆଯାଇଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ହାଇକୋର୍ଟର ୪ ମୁଖ୍ୟ ବିଚାରପତି ଓ ୬ବିଚାରପତିଙ୍କ ଗୁରୁବାର ବଦଳି ହୋଇଛି। ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂ ଚୌହାନଙ୍କ ତେଲଙ୍ଗାନାରୁ ଉତ୍ତରାଖଣ୍ଡ ବଦଳି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀଙ୍କ ସିକ୍କିମ ବଦଳି ହୋଇଛି। ସେହିପରି ସିକିମ୍‌ ହାଇକୋର୍ଟ ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ବାମୀଙ୍କର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତିଭାବେ ବଦଳି ହୋଇଛି। ବିଚାରପତିଙ୍କ ମଧ୍ୟରେ ସଞ୍ଜୟ ଯାଦବଙ୍କ ମଧ୍ୟପ୍ରଦେଶରୁ ଆଲ୍ଲାହାବାଦ, ରାଜେଶ ବିନ୍ଦାଲଙ୍କର ଜମ୍ମୁ-କଶ୍ମୀରରୁ କୋଲ୍‌କତା, ବିନୀତ କୋଠାରୀଙ୍କ ମାଡ୍ରାସ୍‌ରୁ ଗୁଜରାଟ, ଜୟମାଲ୍ୟ ବାଗ୍‌ଚୀଙ୍କର କାଲ୍‌କାଟାରୁ ଆନ୍ଧ୍ରପ୍ରଦେଶ, ସତୀଶ ଚନ୍ଦ୍ର ଶର୍ମାଙ୍କର ଏମ୍‌ପିରୁ କର୍ନାଟକ, ରବି ବିଜୟକୁମାର ମାଲିମଠଙ୍କ ଉତ୍ତରାଖଣ୍ଡରୁ ହିମାଚଳପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି।

Share