Categories: ଜାତୀୟ

ଜଷ୍ଟିସ୍‌ ନାନାବତୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୯।୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଗିରୀଶ ଠାକୋରଲାଲ୍‌ ନାନାବତୀଙ୍କର ଶନିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ମାମଲାର ତଦନ୍ତ କରିଥିଲେ। ୧୯୩୫ ଫେବୃୟାରୀ ୧୭ରେ ଜନ୍ମିତ ନାନାବତୀ ବମ୍ବେ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୯ ଜୁଲାଇ ୧୯ରେ ଗୁଜରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହେବା ସହ ୧୯୯୩ ଡିସେମ୍ବର ୧୪ରେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲେ। ୧୯୯୪ ଜାନୁୟାରୀ ୩୧ରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ସେହିବର୍ଷ ସେପ୍ଟେମ୍ବରରେ ସେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲେ। ସେ ୧୯୯୫ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହେବା ସହ ୨୦୦୦ ମସିହା ଫେବୃୟାରୀ ୧୬ରେ ଅବସର ନେଇଥିଲେ।
୨୦୦୨ ଗୁଜରାଟ ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେଥିରୁ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ। ଜଷ୍ଟିସ୍‌ ନାନାବତୀ ଓ ଅକ୍ଷୟ ମେହେଟ୍ଟା ଏହାର ତଦନ୍ତ କରି ୨୦୧୪ରେ ଚୂଡ଼ାନ୍ତ ରିପୋର୍ଟ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍‌ ପଟେଲଙ୍କୁ ପ୍ରଦାନ କରିଥିଲେ। ସେହିପରି ୧୯୮୪ ଶିଖ ବିରୋଧୀ ଦଙ୍ଗା ତଦନ୍ତ ପାଇଁ ଏନ୍‌ଡିଏ ସରକାର ନାନାବତୀ କମିଶନ ଗଠନ କରିଥିଲେ।

Share