Categories: ଫୁରସତ

ନ୍ୟାୟମୂର୍ତ୍ତିଙ୍କ କଥା…

ଫିଲ୍ମରେ ‘କାନୁନ୍‌ ଅନ୍ଧା ହୈ’ ଡାଇଲଗ୍‌ ଶୁଣିଥିବେ। ତେବେ କେବେ ଭାବିଛନ୍ତି କି ଏମିତି କାହିଁକି କୁହାଯାଏ। ଆଉ ଯେବେ ବି ଏକଥା ଭାବିଥିବେ କୋର୍ଟ ରୁମ୍‌ରେ ରହୁଥିବା ଏକ ମୂର୍ତ୍ତି ଯେଉଁଥିରେ ଜଣେ ନାରୀ ହାତରେ ତରାଜୁ ଓ ଆଖିରେ ପଟି ବନ୍ଧାଥାଏ ସେକଥା ମନକୁ ଆସିଥିବ। ହେଲେ ଜାଣନ୍ତିକି ଏଇ ନାରୀ କିଏ ଓ ଏହି ମୂର୍ତ୍ତି ଦେଶ ଓ ବିଦେଶର କୋର୍ଟ ରୁମ୍‌ରେ କଣ ପାଇଁ ରଖାଯାଇଥାଏ? ଜାଣନ୍ତୁ ସେ ସମ୍ପର୍କରେ…

କୋର୍ଟ ରୁମ୍‌ରେ ରଖା ଯାଉଥିବା ଏହି ମୂର୍ତ୍ତି ଗ୍ରୀକ୍‌ ପୌରାଣିକ କଥାର ନ୍ୟାୟର ଦେବୀ ‘ଡାଇକ୍‌’ଙ୍କର ବୋଲି କୁହାଯାଏ। ଯେକି ଦେବୀ ଥେମିସ୍‌ ଓ ଜିଉସ୍‌ଙ୍କ କନ୍ୟା ଅଟନ୍ତି। ଏହି ମୂର୍ତ୍ତିରେ ଦେବୀ ଡାଇକ୍‌ ପ୍ରାଚୀନ ଗ୍ରୀକ୍‌ ସଭ୍ୟତାରେ ରାଜକୀୟ ଓ ଆଦରଣୀୟ ବ୍ୟକ୍ତି ପିନ୍ଧୁଥିବା ଶୈଳୀର ପୋଷାକ ପିନ୍ଧିବା ସହ ଆଖିରେ ପଟି, ହାତରେ ତରାଜୁ ଓ ପାଦ ତଳେ ସାପ ଥିବା ଦେଖିବାକୁ ମିଳେ। ଯାହାକୁ କି ଆମ ନ୍ୟାୟିକ ପ୍ରଣାଳୀର ନୈତିକତାର ବିଶେଷ ପ୍ରତୀକ ଭାବେ ଗ୍ରହଣ କରାଯାଏ। ହାତର ତରାଜୁ ଦର୍ଶାଏ ଯେ, ନ୍ୟାୟ ଦେବୀ ସତ – ମିଛକୁ ତଉଲି, ଉଭୟ ପକ୍ଷକୁ ଶୁଣି ନ୍ୟାୟ କରନ୍ତି। ମୂର୍ତ୍ତିର ଏହି ତରାଜୁ ଧାରଣ, ମିସର ସଂସ୍କୃତିରୁ ଆସିଥିବା କୁହାଯାଏ। ମିସରରେ ତରାଜୁକୁ ନ୍ୟାୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ମୂର୍ତ୍ତି ଆଖିରେ ପଟି ବନ୍ଧାଯିବା ଦର୍ଶାଏ କି ନ୍ୟାୟ ଦେବାବେଳେ ସେ ସାମ୍‌ନାରେ ଥିବା ବ୍ୟକ୍ତିଙ୍କ ଧନ, ପ୍ରତିପତୀ, ଶକ୍ତିକୁ ଦେଖନ୍ତି ନାହିଁ କି ତା’ଦ୍ୱାରା ପ୍ରଭାବିତ ବି ହୁଅନ୍ତି ନାହିଁ। କେବଳ ପ୍ରମାଣ ଓ ସାକ୍ଷୀକୁ ଆଧାର କରି ଫଇସଲା ଶୁଣାନ୍ତି। ଅର୍ଥାତ୍‌ ଆଇନ୍‌ ଆଖିରେ ସମସ୍ତେ ସମାନ ବୋଲି ଏହା ଦର୍ଶାଏ। ଯେମିତି ଈଶ୍ୱରଙ୍କ ନଜରରେ ସମସ୍ତେ ସମାନ ଓ କୌଣସି ଭେଦଭାବ ନ ଥାଏ, ସେହିଭଳି ନ୍ୟାୟ ଦେବୀ ବି ବଡ଼ ଛୋଟ ଦେଖନ୍ତି ନାହିଁ। ମୂର୍ତ୍ତିର ଏହି ଆଖିରେ ପଟି ବନ୍ଧା ଷୋଡ଼ଷ ଶତାବ୍ଦିରୁ ଆରମ୍ଭ ହୋଇଥିବା ଜଣାଯାଏ। ଏହାବାଦ ତାଙ୍କ ହାତରେ ଥିବା ଖଣ୍ଡା, ଯାହାକି କେବେ ତଳ ଆଡକୁ ତ କେବେ ଉପରକୁ ଥିବା ଦେଖିବାକୁ ମିଳେ ତାହା ପ୍ରାଧିକାର ଓ ଶକ୍ତିକୁ ଦର୍ଶାଏ। ଏହା ନ୍ୟାୟର ନିର୍ଣ୍ଣୟକୁ ଲାଗୁ କରିବାକୁ ଦର୍ଶାଏ। ତା’ସହ ଏହା ବି ବୁଝାଏ ଯେ, ନ୍ୟାୟ ଦେବୀ କେବଳ ନ୍ୟାୟ ପ୍ରଦାନ କରନ୍ତି ନାହିଁ ବରଂ ତାକୁ ପାଳନ କରାଇବାର ଶକ୍ତି ବି ସେ ରଖିଛନ୍ତି। ଶେଷରେ ପାଦ ତଳେ ଥିବା ସାପର ଅର୍ଥ ହେଉଛି ନ୍ୟାୟର ଦେବୀ ସମାଜର ଅନ୍ୟାୟକୁ ପାଦ ତଳେ ଦଳି ନଷ୍ଟ କରିଥାନ୍ତି।

Share