Categories: ଜାତୀୟ

ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ନୂତନ ଏନଜିଟି ଅଧ୍ୟକ୍ଷ ନିଯୁକ୍ତ…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ବୁଧବାରଠାରୁ ଦାୟିତ୍ୱ ଗ୍ରହଣ କରିବେ। ୬ ଜୁଲାଇ୨୦୨୩ରେ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅବସର ପରେ କେନ୍ଦ୍ର ସରକାର ଜଷ୍ଟିସ ଶିବ କୁମାର ସିଂଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ।

ଏନଜିଟି ସୂତ୍ରରୁ ପ୍ରକାଶ ଜଷ୍ଟିସ ଶ୍ରୀବାସ୍ତବଙ୍କ ନିଯୁକ୍ତି ପାଇଁ ସୋମବାର ନିର୍ଦ୍ଦେଶ ଦିଆଯାଇଛି। ଏହି ନିଯୁକ୍ତିକୁ ନିଶ୍ଚିତ କରି ଏନଜିଟି ରେଜିଷ୍ଟ୍ରାର ଜେନେରାଲ ଅଙ୍କିତ ସିଙ୍ଗଲା କହିଛନ୍ତି ବୁଧବାର ଜଷ୍ଟିସ ଶ୍ରୀବାସ୍ତବଙ୍କ ପାଇଁ ରିସେପ୍ସନ ଅନୁଷ୍ଠିତ ହେବ।

ଜଷ୍ଟିସ ଶ୍ରୀବାସ୍ତବ ୧୧ ଅକ୍ଟୋବର ୨୦୨୧ ରୁ ୩୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ୩୧ ମାର୍ଚ୍ଚ ୧୯୬୧ ରେ ଜନ୍ମ ହୋଇଥିବା ଜଷ୍ଟିସ ଶ୍ରୀବାସ୍ତବ ୨ ଫେବୃଆରୀ ୧୯୮୭ର ଆଡଭୋକେଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟରେ ଅଭ୍ୟାସ କରିଥିଲେ। ସେ ୧୮ ଜାନୁଆରୀ ୨୦୦୮ ରେ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ସେ ୧୫ ଜାନୁଆରୀ ୨୦୧୦ ରେ ସ୍ଥାୟୀ ବିଚାରପତି ହୋଇଥିଲେ।

Share