Categories: ଜାତୀୟ

ଜଷ୍ଟିସ୍‌ ରଞ୍ଜନା ଦେଶାଇ ପିସିଆଇ ମୁଖ୍ୟ

ନୂଆଦିଲ୍ଲୀ,୧୮ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପିସିଆଇ ଅଧ୍ୟକ୍ଷ ଜଷ୍ଟିସ୍‌ ଚନ୍ଦ୍ରମଉଲି କୁମାର ପ୍ରସାଦ ଗତ ନଭେମ୍ବରରେ ଅବସର ନେବା ପରଠାରୁ ଏହି ପଦବୀ ଖାଲିପଡ଼ିଥିଲା। ପିସିଆଇ ଅଧ୍ୟକ୍ଷା ନିଯୁକ୍ତ ହେବାରେ ଜଷ୍ଟିସ୍‌ ଦେଶାଇ ହେଉଛନ୍ତି ପ୍ରଥମ ମହିଳା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ କୁହାଯାଇଛି, ୭୨ ବର୍ଷୀୟା ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ପିସିଆଇ ଅଧ୍ୟକ୍ଷା ପଦରେ ନିଯୁକ୍ତି ପାଇଁ ଏକ କମିଟି ମଞ୍ଜୁରୀ ଦେଇଛି। ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ପିସିଆଇ ସଦସ୍ୟ ପ୍ରକାଶ ଦୁବେ ସାମିଲ ଥିବା କମିଟି ତାଙ୍କ ନାମ ଚୂଡ଼ାନ୍ତ କରିଛି। ଜଷ୍ଟିସ୍‌ ଦେଶାଇ ସୁପ୍ରିମକୋର୍ଟ ବିଚାରପତି ରୂପେ ୨୦୧୧ ସେପ୍ଟେମ୍ବର ୧୩ରୁ ୨୦୧୪ ଅକ୍ଟୋବର ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଦାୟିତ୍ୱ ତୁଲାଇଥିଲେ। ନିକଟରେ ଜମ୍ମୁ-କଶ୍ମୀର ସୀମା ପୁନଃ ନିର୍ଦ୍ଧାରଣ କମିଟିରେ ମଧ୍ୟ ଜଷ୍ଟିସ୍‌ ଦେଶାଇ ଅଧ୍ୟକ୍ଷତା କରିଥିଲେ।

Share