Categories: ଜାତୀୟ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା: ଏହି ଦିନ ସମ୍ଭାଳିବେ ପଦ

ନୂଆଦିଲ୍ଲୀ, ୨୪।୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ନଭେମ୍ବର ୧୧ରୁ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ହେବେ। ସେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ। ସେ ମେ ୧୩ ୨୦୨୫ରେ ଅବସର ନେବାକୁ ଯାଉଛନ୍ତି। ଏହିପରି ତାଙ୍କର କାର୍ଯ୍ୟକାଳ ପ୍ରାୟ ୬ ମାସ ହେବ। ସେ ୨୦୨୫ ମେ’ ୧୩ରେ ଅବସର ନେବେ।

ସୂଚନାଯୋଗ୍ୟ, ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ତାଙ୍କର ଉତ୍ତରାଧିକାରୀ ଭାବେ ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।

୧୯୬୦ ମେ’ ୧୪ରେ ଜନ୍ମିତ ଜଷ୍ଟିସ୍‌ ଖାନ୍ନା ଦିଲ୍ଲୀ ୟୁନିଭର୍ସିଟିର କ୍ୟାମ୍ପସ୍‌ ଲ’ ସେଣ୍ଟରରେ ଆଇନ ଶିକ୍ଷା ଲାଭ କରିଥିଲେ। ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚ୍‌.ଆର୍‌. ଖାନ୍ନାଙ୍କ ପୁତୁରା। ଜଷ୍ଟିସ୍‌ ଖାନ୍ନା ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇ ୨୦୦୬ରେ ଏହାର ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୯ ଜାନୁଆରୀ ୧୮ରେ ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ଜଷ୍ଟିସ୍‌ ଖାନ୍ନାଙ୍କ ଉଲ୍ଲେଖନୀୟ ରାୟ ମଧ୍ୟରେ ରହିଛି ନିର୍ବାଚନରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ବ୍ୟବହାରକୁ କାଏମ ରଖିବା। ରାଜନୈତିକ ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଉଦ୍ଦିଷ୍ଟ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଘୋଷଣା କରିଥିବା ୫ ଜଣିଆ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଖାନ୍ନା ରହିଥିଲେ। ସେହିପରି ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଥିବା ୫ ଜଣିଆ ପୀଠରେ ଜଷ୍ଟିସ୍‌ ଖାନ୍ନା ଅନ୍ୟତମ ବିଚାରପତି ଥିଲେ। ବିଦାୟୀ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ୍‌ ଖାନ୍ନା ସର୍ବବରିଷ୍ଠ ବିଚାରପତି ଏବଂ ନ୍ୟାଶନାଲ ଲିଗାଲ ସର୍ଭିସ୍‌ ଅଥରିଟି (ଏନ୍‌ଏଏଲ୍‌ଏସ୍‌ଏ)ର ଅଧ୍ୟକ୍ଷ ରହିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ଜଷ୍ଟିସ୍‌ ଖାନ୍ନା ଜାମିନ ମଞ୍ଜୁର କରିଥିଲେ।

Share