Categories: ଜାତୀୟ

ଜଷ୍ଟିସ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୭ା୭(ପି.ଟି.):ଓଡ଼ିଶା ସମେତ ୭ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୭ ଜଣ ବିିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଅନ୍ୟ ହାଇକୋର୍ଟଗୁଡ଼ିକ ହେଲେ ବମ୍ବେ, ଗୁଜରାଟ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ହାଇକୋର୍ଟ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତା ଅଗଷ୍ଟରେ ଅବସର ଗ୍ରହଣ କରିବାକୁ ଥିବାରୁ ଉକ୍ତ ପଦବୀ ଖାଲି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜିୟମ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଥିବା ଉକ୍ତ ପ୍ରସ୍ତାବରେ କୁହାଯାଇଛି। ଜଷ୍ଟିସ ତାଳପତ୍ର ୨୦୧୩ରୁ ତ୍ରିପୁରା ହାଇକୋର୍ଟର ବିଚାରପତି ରହିଥିଲେ ମଧ୍ୟ ମୁଖ୍ୟ ବିଚାରପତି ପଦ ପାଇଁ ତାଙ୍କ ନାମକୁ ଏପର୍ଯ୍ୟନ୍ତ ସୁପାରିସ କରାଯାଇ ନ ଥିବାରୁ କଲେଜିୟମ ଏହାକୁ ବିଚାରକୁ ନେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନର ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିସ କରାଯାଇଥିବାବେଳେ ଆଲ୍ଲାହାବାଦ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସୁନୀତା ଅଗ୍ରଓ୍ବାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯିବ। ସେହିପରି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଧୀରଜ ସିଂ ଠାକୁରଙ୍କ ନାମ ସୁପାରିସ ହୋଇଛି। ସେ ୨୦୧୩ରେ ଜମ୍ମୁ-କଶ୍ମୀର ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ଗତବର୍ଷ ଜୁନ୍‌ରେ ବମ୍ବେ ହାଇକୋର୍ଟକୁ ବଦଳି ହୋଇଥିଲେ। ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଆଶିଷ ଜେ. ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିସ ହୋଇଛି। ସେହିପରି କର୍ନାଟକ ହାଇକୋର୍ଟ ବିଚାରପତି ଆଲୋକ ଆରାଧେଙ୍କୁ ତେଲଙ୍ଗାନା ହାଇକୋଟଁର ମୁଖ୍ୟ ବିଚାରପତି ଭାବେ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ ମୃଦୁଳଙ୍କୁ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କଲେଜିୟମ ସୁପାରିସ କରିଛନ୍ତି।
ଏହା ବ୍ୟତୀତ ୫ ଜଣିଆ କଲେଜିୟମ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଉଜ୍ଜଳ ଭୁୟାଁ ଏବଂ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଏସ୍‌. ଭେଙ୍କଟନାରାୟଣ ଭଟ୍ଟିଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଛନ୍ତି।

Share