ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ପଶ୍ଚିମରେ ଥିବା ଯୋଗେଶ୍ୱରୀ ଅଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳକ ଅନ୍ଲାଇନ ଗେମ୍ ପବ୍ଜିରେ ତାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ହରାଇବା ପରେ ଘର ଛାଡ଼ି ପଳାଇଯାଇଥିଲେ। ପୋଲିସ ଅନ୍ଧେରୀର ମହାକାଳୀ କେଭ୍ ଅଞ୍ଚଳରେ ଖୋଜାଖୋଜି କରି ତାଙ୍କୁ ପାଇବା ପରେ ମା’ବାପାଙ୍କୁ ହସ୍ତାନ୍ତର କରିଛି।
ନାବାଳକଙ୍କ ବାପା ବୁଧବାର ସନ୍ଧ୍ୟାରେ ଏମ୍ଆଇଡିସି ଥାନାରେ ପୁଅ ନିଖୋଜ ସମ୍ପର୍କରେ ଜଣାଇବା ପରେ ଘଟଣା ଲୋକଲୋଚନାକୁ ଆସିଥିଲା। ପୋଲିସ ଅପହରଣ ମାମଲା ରୁଜୁ କରି ଖୋଜାଖୋଜି କରିଥିଲା। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ପିଲାଟି ମାସେ ହେଲା ପବ୍ଜି ଖେଳୁଥିଲା ଏବଂ ଏଥିରେ ମା’ଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ବରବାଦ କରିଥିଲା। ମା’ବାପା ଅନ୍ଲାଇନ ଟ୍ରାଞ୍ଜାକ୍ଶନ ସମ୍ପର୍କରେ ଜାଣିବା ପରେ ପିଲାଟିକୁ ଗାଳି ଦେବାରୁ ସେ ଏକ ଚିଠି ଲେଖି ଘରଛାଡ଼ି ପଳାଇଥିଲେ।