Categories: ଅନୁଗୋଳ

ଆପରାଧିକ କାର୍ଯ୍ୟରେ ବଢ଼ୁଛି ନାବାଳକଙ୍କ ଭାଗୀଦାରି

ଅନୁଗୋଳ ଅଫିସ, ୯।୬: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବିଶେଷକରି ଚୋରି, ଛିନତାଇ, ଡିକି ଭାଙ୍ଗି ଟଙ୍କା ଲୁଟ୍‌, ବଜାରରୁ ବାଇକ୍‌ ଚୋରି ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦିନ ହେଉ ବା ରାତି, ଏପରି ଅପରାଧ ପ୍ରାୟ ଦୈନିକ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ଆପରାଧିକ କାର୍ଯ୍ୟରେ ନାବାଳକମାନଙ୍କ ଭାଗିଦାରୀ ରହୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ପେସାଦାର ଅପରାଧୀମାନେ ରାଜ୍ୟ ବାହାରର ଏହି ନାବାଳକମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କ ଉପରେ ନଜର ରଖୁଛନ୍ତି। ଆବଶ୍ୟକସ୍ଥଳେ ଘଟଣାସ୍ଥଳରୁ ଫେରାର କରାଇବାରେ ସହଯୋଗ ମଧ୍ୟ କରୁଛନ୍ତି। ଏ ନେଇ ପୋଲିସ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ଅଧିକାଂଶ ଘଟଣାରେ ଅପରାଧୀଙ୍କ ନିକଟରେ ପୋଲିସ ପହଞ୍ଚିପାରୁ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
କିଛିଦିନ ହେଲା ଅନୁଗୋଳ ସହର ଓ ଉପକଣ୍ଠ ଅଞ୍ଚଳଗୁଡ଼ିକରେ ଘଟିଥିବା ଅନେକ ଆପରାଧିକ ଘଟଣାରେ ଏହି ନାବାଳକମାନଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି। ନିକଟ ଅତୀତରେ ଅନୁଗୋଳ ମାରୱାଡି ଧର୍ମଶାଳାଠାରେ ଜଣେ ନାବାଳକ ଏକ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଚୋରି କରିବାକୁ ଉଦ୍ୟମ କରିଥିଲେ। ତେବେ ଡିକିରୁ ଟଙ୍କା କାଢ଼ିବା ସମୟରେ ଗାଡ଼ି ମାଲିକଙ୍କ ନଜର ପଡ଼ିଯିବାରୁ ସେ ପାଟି କରିଥିଲେ। ଫଳରେ ନାବାଳକ ଜଣଙ୍କ ଡେଲି ମାର୍କେଟ ଆଡ଼କୁ ଦୌଡ଼ି ପଳାଇଯାଇଥିଲେ। ଏହି ସମୟରେ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ସେଠାରୁ ବାଇକ୍‌ରେ ବସାଇ ଫେରାର ହୋଇଯାଇଥିଲେ। ଆଉ ଏକ ଘଟଣା ବଜାର ଛକରେ ଥିବା ଜଳଖିଆ ଦୋକାନ ସମ୍ମୁଖରେ ଘଟିଥିଲା। ଜଳଖିଆ ଦୋକାନୀଙ୍କ ପୁଅଙ୍କ ବୁଲେଟ୍‌ ଚୋରି କରିବା ବେଳେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ, ସହରରେ ଘଟୁଥିବା ବହୁ ଆପରାଧିକ କାର୍ଯ୍ୟରେ ନାବାଳକ ଅପରାଧୀଙ୍କ ସମ୍ପୃକ୍ତି ରହୁଥିବା ଦେଖାଯାଉଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରୁ ଆସି ଅନୁଗୋଳର ବିଭିନ୍ନ ସ୍ଥାନରେ ମଜୁରିଆ ଭାବେ ପ୍ରଥମେ କାର୍ଯ୍ୟ କରୁଥିବା ନାବାଳକମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏପରି ଆପରାଧିକ କାର୍ଯ୍ୟରେ ପେସାଦାର ଅପରାଧୀମାନେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ହାସଲ କରୁଛନ୍ତି। ବିଷେଶଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ନାବାଳକମାନେ ଅଭାବ ଅନାଟନରେ ରହୁଥିବାର ସୁଯୋଗ ନେଇ ପେସାଦାର ଅପରାଧୀମାନେ ସେମାନଙ୍କୁ ଅସାମାଜିକ କାର୍ଯ୍ୟରେ ଲଗାଉଛନ୍ତି। ଏ ନେଇ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଲାର ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗର ତଦନ୍ତ ବେଳେ ଏଥିରେ ନାବାଳକମାନଙ୍କ ସମ୍ପୃକ୍ତି ରହୁଥିବା ଜଣାପଡ଼ୁଛି। ଏପରି ଏକ ର଼୍ୟାକେଟର ପର୍ଦ୍ଦାଫାଶ କରିବାକୁ ଉଦ୍ୟମ ଜାରିରହିଛି।