ଜେଲରେ ୧୦ ଦିନ ପରେ ଜଣାଗଲା ନାବାଳକ

ବ୍ରହ୍ମପୁର,୬।୧୨ (ସୁବାସ ଚନ୍ଦ୍ର ପାଢ଼ୀ): ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବାପା-ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଜଣେ ନାବାଳକ ବୋଲି ୧୦ଦିନ ପରେ ମଙ୍ଗଳବାର ଜଣାପଡିଛି। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ବେଳେ ଜନ୍ମ ତାରିଖରେ ଭୁଲ ଦର୍ଶାଇଥିବାରୁ ଏପରି ହୋଇଛି।
ଗତ ସେପ୍ଟେମ୍ବର ୨୧ରେ ପଞ୍ଚମା ଗାଁରେ ଗଣେଶ ପୂଜା ବେଳେ ରଣ୍ଢା ଅଞ୍ଚଳର କେତେଜଣ ଯୁବକ ଦାଦାଗିରି ଦେଖାଉଥିଲେ। ଗ୍ରାମର ଭୀମ ପ୍ରଧାନ ଏହାର ପ୍ରତିବାଦ କରିବାରୁ ରାଜେଶ ଦାସ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେହି ସନ୍ଧ୍ୟାରେ ଅଭିଯୁକ୍ତମାନେ ଭୀମଙ୍କ ଘର ନିକଟକୁ ଯାଇଥିଲେ। ଭୀମ ନ ଥିବାବେଳେ ତାଙ୍କ ବୃଦ୍ଧ ବାପା ନିରଞ୍ଜନ ପ୍ରଧାନଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଭୀମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗୋଳନ୍ଥରା ପୋଲିସ ଗତ ୨୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।
ଗଣେଶ ପୂଜା ଦିନ ପଞ୍ଚମା ଗ୍ରାମରେ ରଣ୍ଢା ଅଞ୍ଚଳର କେତେକ ଅସାମାଜିକ ଯୁବକ ଦାଦାଗିରି ଦେଖାଉଥିଲେ। ଭୀମ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ରାଜେଶ ଦାସ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେହି ସନ୍ଧ୍ୟାରେ ସେମାନେ ଭୀମଙ୍କ ଘର ନିକଟକୁ ଯାଇଥିଲେ। ଭୀମ ନ ଥିବାରୁ ତାଙ୍କ ବାପା ନିରଞ୍ଜନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଭୀମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ମାମଲା ନଂ.୪୬୨/୨୩ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗତ ୨୫ ତାରିଖରେ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପରିବାର ଲୋକେ ସେ ନାବାଳକ ବୋଲି ଦାବି କରି ତାଙ୍କ ଓକିଲ ସୌରଭ ମୁଦୁଲିଙ୍କୁ ଜଣାଇଥିଲେ। ମୁଦୁଲି ଏ ନେଇ ଜେଏମ୍‌ଏଫସି (ଗ୍ରାମାଞ୍ଚଳ) କୋର୍ଟରେ ପିଟିଶନ ଦାଖଲ କରିଥିଲେ। କୋର୍ଟ ଏହାର ଶୁଣାଣି କରି ଜନ୍ମ ପ୍ରମାଣପତ୍ର ଦାଖଲ କରିବାକୁ ଆଦେଶ ଦେଇଥିଲେ। ଅଭିଯୁକ୍ତ ପଢ଼ୁଥିବା ଏକ ସ୍କୁଲର ଟ୍ରାନ୍ସଫର ସାର୍ଟିଫିକେଟ (ଟିସି) ବାହାର କରିଥିଲେ। ସେଥିରେ ତାଙ୍କ ଜନ୍ମ ତାରିଖ ୨୦୦୬ ଅଗଷ୍ଟ ୪ ତାରିଖ ବୋଲି ଲେଖାଯାଇଥିଲା। ଜନ୍ମ ତାରିଖ ଅନୁସାରେ ଗିରଫ ସମୟରେ ନାବାଳକଙ୍କୁ ୧୭ ବର୍ଷ ୩ମାସ ୨୧ ଦିନ ହୋଇଥିଲା। କୋର୍ଟ ନିର୍ଦ୍ଦେଶରେ ମାମଲାର ତଦନ୍ତକାରୀ ଅଧିକାରୀ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲେ। ପରେ ନାବାଳକଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଆବାସକୁ ପଠାଇ ଦିଆଯାଇଛି। ବୁଧବାର ତାଙ୍କ ଜାମିନ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଓକିଲ କହିଛନ୍ତି।