ନାବାଳକ ହତ୍ୟା ଘଟଣା: ପଲିଗ୍ରାଫ୍‌ ଟେଷ୍ଟରୁ ଅଭିଯୁକ୍ତ ଚିହ୍ନଟ

ବ୍ରହ୍ମପୁର,୧୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ନିକଟ ବାଉରି କମାପଲ୍ଲୀରେ ଗତ ମେ’ ମାସରେ ଶିବ ଦାସ ନାମକ ଜଣେ ନାବାଳକ (୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ପାରିପାଶର୍‌ବିକ ସ୍ଥିତିରୁ ମିଳିଥିବା ସୁରାକ ଏବଂ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ପୋଲିସ ଉକ୍ତ ଅପମୃତ୍ୟୁ ମାମଲାକୁ ୨୧୭/୨୩ ରେ ହତ୍ୟା ମାମଲା ରୂପାନ୍ତର କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସନ୍ଦେହ କରୁଥିବା କିଛି ଲୋକଙ୍କ ପଲିଗ୍ରାଫ୍‌( ମିଛ ଧରିବା ପାଇଁ ପରୀକ୍ଷା) ଟେଷ୍ଟ କରିଥିଲା। ଉକ୍ତ ପରୀକ୍ଷା ରିପୋର୍ଟ ମିଳିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଏଥିରେ ପ୍ରତ୍ୟକ୍ଷଦର୍ଶୀ ରହିଥିବା ଅଭିଯୁକ୍ତଙ୍କ ନାତିଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ନାଥ ଦାସ(୬୦)ଙ୍କୁ ପୋଲିସ ଗିରଫ କରିଛି।