ବାଲେଶ୍ୱର ଅଫିସ,୩୦।୫: ବାଲେଶ୍ୱର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହାର ବିଚାର କରି ଦୋଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୧ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଏତଦ୍ବ୍ୟତୀତ ପୀଡ଼ିତାଙ୍କୁ ୪ଲକ୍ଷ କ୍ଷତିପୂରଣ ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖଇରା ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ଶନିବିଗ୍ରହ (୫୩)। ସୂଚନାଯୋଗ୍ୟ, ଖଇରା ଥାନା ଅଞ୍ଚଳର ୮ବର୍ଷୀୟା ନାବାଳିକା ଜଣକ ୨୦୧୫ ସେପ୍ଟେମ୍ବର ୪ରେ ସ୍କୁଲ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ତାଙ୍କୁ ଭୁଲାଇ ନେଇ ବଳାତ୍କାର କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଖଇରା ଥାନାରେ ଏକ ମାମଲା (ନଂ.୧୨୩/୧୫)ରୁଜୁ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।