ନାବାଳିକା ବଳାତ୍କାରୀଙ୍କୁ ୬ ବର୍ଷ ଜେଲ୍‌

ସୁନ୍ଦରଗଡ଼,୨୭।୧୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପକ୍‌ସୋ କୋର୍ଟର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି ଅଭିଯୁକ୍ତ ଅନିଲ କୁମାର ମହାନ୍ତ(୨୫)ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଏବଂ ଜରିମାନା ଅନାଦାୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି। ଏତଦ୍‌ବ୍ୟତୀତ ପୀଡିତାଙ୍କୁ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୫ ସେପ୍ଟେମ୍ବର ୨୨ରେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ପୀଡିତାଙ୍କ ମା’ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ସେଠାରୁ ପଳାଇଥିଲେ। ଏ ସମ୍ପର୍କରେ ପୀଡିତାଙ୍କ ବାପା ଲହୁଣୀପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share