ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ ଜିତିଥିବା ଜ୍ୱାଲା ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ହାତ ଧରିଛନ୍ତି। ଏହା ଜ୍ୱାଲାଙ୍କ ଦ୍ୱିତୀୟ ବିବାହ। ପୂର୍ବରୁ ସେ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଯୋଗୁ ସେମାନେ ଅଲଗା ହୋଇଯାଇଥିବା କୁହାଯାଏ।

ଖେଳିବା ସମୟରେ ଜ୍ୱାଲା-ଚେତନ ପରସ୍ପରକୁ ଭଲପାଇ ବସିଥିଲେ। ଏହାପରେ ଉଭୟ ୨୦୦୫ ଜୁଲାଇ ୧୭ ତାରିଖରେ ବିବାହ କରିଥିଲେ। ଯେକୌଣସି ସମ୍ପର୍କ ହେଉନା କାହିଁକି ପରସ୍ପରର ଗ୍ରୋଥ୍‌ ପାଇଁ ସମ୍ମାନ ରହିବା ଆବଶ୍ୟକ । ଜଣେ ଅନ୍ୟଜଣଙ୍କ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଯେତେବେଳେ କେହି କାହାକୁ ସମ୍ମାନ କରନ୍ତି ନାହିଁ ଦୂରତା ଦେଖାଦେଇଥାଏ ବୋଲି ଏକଦା ଜ୍ୱାଲା କହିଥିଲେ। ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା କାରଣରୁ ଉଭୟ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଚେତନଙ୍କଠାରୁ ସେ ୨୦୧୧ ଜୁନ୍‌ ୨୯ରୁ ଅଲଗା ହୋଇଯାଇଥିଲେ।

ଅପରପକ୍ଷେ ଜ୍ୱାଲା ଅଭିନେତା ବିଷ୍ଣୁଙ୍କୁ ଦୀର୍ଘ ସମୟ ଧରି ଡେଟ୍‌ କରିଆସୁଥିଲେ। ଦୁଇ ବର୍ଷ ପୂର୍ବେ ଉଭୟ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଏବେ ଉଭୟଙ୍କ ବିବାହ ଫଟୋ ବେଶ ଭାଇରାଲ ହେଉଛି। ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି।