ଜ୍ୟୋତି ହେଗ୍‌ଡେ, ମଜିଦ୍‌ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସପ୍ତମ ସଂସ୍କରଣ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉମାକାନ୍ତ ଗୁଣ୍ଡିଚା, ଅଖିଳେଶ ଗୁଣ୍ଡିଚା ଓ ଅନନ୍ତ ଗୁଣ୍ଡିଚା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ, ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉମାକାନ୍ତ ଗୁଣ୍ଡିଚା ଓ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦେବ ଯୋଗଦେଇଥିଲେ। ଧ୍ରୁପଦ ହେଉଛି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଆତ୍ମା। ଏଥିରେ ଉଚ୍ଚାରିତ ହେଉଥିବା ଓଁ ଧ୍ୱନି ହୃଦୟକୁ ସ୍ପର୍ଶ କରିବା ସହିତ ମନକୁ ଶାନ୍ତି ପ୍ରଦାନ କରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବୀଣା ବାଦକ ଜ୍ୟୋତି ହେଗଡେ ଓ ତାନପୁରା କାରିଗର ମଜିଦ ଗୁଲାବ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଏଥିସହିତ ‘ଲିଟିଲ ଧ୍ରୁପଦ ସିଙ୍ଗର’ ସମ୍ମାନରେ ଶ୍ରୀନହିତା ମିଶ୍ର ଓ ରୁଦ୍ର ପ୍ରସାଦ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ମଧ୍ୟପ୍ରଦେଶର ଦୁର୍ଗେଶ ଭାଜେରେଙ୍କୁ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ବରିଷ୍ଠ ବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାର ରିମ୍‌ଲି ମହାନ୍ତି, ସୂର୍ଯ୍ୟ ନାରାୟଣ ପାଣି, ମୋନାଲିପ୍ରିୟା ଗିରି, ଦୁର୍ଗେଶ ଭାଜେରେ, ଉଦିତ ନାରାୟଣ ସୁନାନୀ, ରୁଦ୍ର ନାରାୟଣ ପଣ୍ଡା, ଚିନ୍ତନ ପ୍ରଜାପତି ପ୍ରମୁଖ ଦେବ ବାଣୀ ଶୈଳୀରେ ‘ତୁ ହି ସୂର୍ଯ୍ୟ ତୁ ହି ଚନ୍ଦ୍ରା’ ଓ ‘ମାତା ସରସ୍ବତୀ’ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦେବ ସାହୁ ମଧ୍ୟ ସମାନ ଶୈଳୀରେ ‘ ଓଁ ହରି ଅନନ୍ତ ନାରାୟଣ ତରଣ…’ ପରିବେଷଣ କରିଥିଲେ। ବାବୁନ ପରିଡ଼ା ଓ ଦୀପାଞ୍ଜଳି ଜେନା ଦ୍ୱୈତ୍ୟ ଧ୍ରୁପଦ ଭୋକାଲ ଉପସ୍ଥାନ କରିଥିଲେ। ଜ୍ୟୋତି ହେଗଡେଙ୍କ ଦ୍ୱାରା ରୁଦ୍ରବୀଣା ପରିବେଷିତ ହୋଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।