ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି ସାଇକେଲ ଚଳାଇ ପିତାଙ୍କୁ ଲକ୍ଡାଉନ୍ ସମୟରେ ଘରକୁ ଆଣିଥିଲେ। ସେ ଗୁଡଗାଓଁ ରୁ ପିତାଙ୍କୁ ସାଇକେଲରେ ସିତାମରାହି ଆଣିଥିଲେ। ଇତିମଧ୍ୟରେ ଜ୍ୟୋତି ଭାରତ ନୁହେଁ ସାରା ପୃଥିବୀରେ ଖ୍ୟାତି ହାସଲ କରିଛନ୍ତି। ତାଙ୍କ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିସାରିଛି। ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ନଗଦ ସହାୟତା ମିଳିଥିବାବେଳେ ଅବଶିଷ୍ଟ ଟଙ୍କା ଆକାଉଣ୍ଟ୍କୁ ଆସିଛି। ସେହିପରି ୪ଟି ସାଇକେଲ ସମେତ ବହୁ ଉପହାର ମଧ୍ୟ ମିଳି ସାରିଛି। ଜ୍ୟୋତି କହିଛନ୍ତି ସବୁ ଉପହାରକୁ ସେ ବାକ୍ସରେ ରଖି ଦେଇଛନ୍ତି। ତାଙ୍କର ନୂଆ ଘର ତିଆରି ହେଲେ ସେଠାରେ ଏସବୁ ଉପହାରକୁ ବାହାର କରି ରଖିବେ। ପିତାଙ୍କୁ ସାଇକେଲ ଚଳାଇ ଘରକୁ ଆଣିବା ସମୟରେ ସେ ଜାଣି ନ ଥିଲେ ଯେ, ଏହା ତାଙ୍କ ପାଇଁ ଖ୍ୟାତି ଆଣିଦେବ ବୋଲି। ତେବେ ଏସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସେ ସୋସିଆଲ୍ ମିଡ଼ିଆରେ ପରିଚିତି ହାସଲ କରିଥିଲେ।