Categories: ଖେଳ

ଆଇଟିଏଫ୍‌ ଟାଇଟଲ ଲକ୍ଷ୍ୟରେ କବିର

ଭୁବନେଶ୍ୱର, ୨୩।୩ (କ୍ରୀଡ଼ା ପ୍ରତିନିଧି): ରାଜ୍ୟର ସର୍ବୋଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଟେନିସ ଖେଳାଳି କବିର ହଂସଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ତୃପ୍ତି ଏଣ୍ଟରପ୍ରାଇଜେସର ନିର୍ଦ୍ଦେଶକ ଶୁଭେନ୍ଦୁ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଓଡ଼ିଶା ଟେନିସ ଆସୋସିଏଶନ ପକ୍ଷରୁ ସମ୍ବିତ ପଟ୍ଟନାୟକ, କବିରଙ୍କ ପୂର୍ବତନ କୋଚ୍‌ ଅଜୟ ନିଶଙ୍କ, ଶୁଭ୍ରାଂଶୁ ଷଡ଼ଙ୍ଗୀ, ଲଳିତ ଦାଶ, ବର୍ତ୍ତମାନର କୋଚ୍‌ ଜଇମିନ ମେହେଟା, ଅନିଲ ଧୀର, ସତ୍ୟବ୍ରତ ସାନୁ ରଥୋ ପ୍ରମୁଖ ଉପସ୍ଥିତ ଥିଲେ। କୌଶିକ ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଯାତ୍ରା ପଥରେ ସମର୍ଥନ କରି ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଇଟିଏଫ୍‌ ଟାଇଟଲ ବିଜୟ ଏବଂ ୧୦୦ ଏଟିପି ପଏଣ୍ଟ୍ସ ତାଙ୍କର ଲକ୍ଷ୍ୟ ଥିବା କବିର ପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ରାଜ୍ୟର ପ୍ରଥମ ଖେଳାଳିଭାବେ କବିର ନିକଟରେ ନୂଆଦିଲ୍ଲୀରେ ଫିନେଷ୍ଟା ଓପନ ଜାତୀୟ ହାର୍ଡକୋର୍ଟ ଟେନିସ ଚାମ୍ପିୟନଶିପ୍‌ ଟାଇଟଲ (ଡବଲ୍ସ) ଜିତିଥିଲେ। ସର୍ବଭାରତୀୟ ର଼୍ୟାଙ୍କିଙ୍ଗର ପୁରୁଷ ବିଭାଗରେ ସେ ୧୮ତମ ସ୍ଥାନରେ ରହି ବର୍ଷ ଶେଷ କରିଥିଲେ। ୨୦୦୧ ଅଗଷ୍ଟ ୨୧ରେ ଭୁବନେଶ୍ୱରରେ ଜନ୍ମିତ କବିର ୨୦୨୩ରେ ପ୍ରଭାବୀ ପ୍ରଦର୍ଶନ ସହ ବର୍ଷ ଆରମ୍ଭ କରିଛନ୍ତି। ଓଡ଼ିଶାର ପ୍ରଥମ ଖେଳାଳି ଭାବେ ସେ ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ୍ସ) ପଏଣ୍ଟ ହାସଲ କରିଛନ୍ତି। ୨୦୨୩ ମାର୍ଚ୍ଚ ୮ରେ କିଶ୍‌ ଆଇଲାଣ୍ଡରେ ଅନୁଷ୍ଠିତ ଆଇଟିଏଫ୍‌ ପୁରୁଷ ୧୫କେ ଟୁର୍ନାମେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଗତ ୧୦ (୨୦୧୩ରୁ ୨୦୨୩) ବର୍ଷ ମଧ୍ୟରେ ସେ ୧୦୦ରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏହା ମଧ୍ୟରେ ଏଆଇଟିଏ ପୁରୁଷ ସର୍କିଟରେ ୨୦ ଟାଇଟଲ ସାମିଲ। ଉପଯୁକ୍ତ ସହାୟତା ମିଳିଲେ ସେ ଆଗକୁ ବହୁ ବଡ଼ ଟୁର୍ନାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କବିର କହିଛନ୍ତି।

 

 

Share