‘ହଠାତ୍‌ ଟଙ୍କା ଦେଖି ନିଜକୁ ସେଲିବ୍ରିଟି ବୋଲି ଭାବିଥିଲି’

ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଆକାଶରେ ନ ଉଡି, ମାଟି ସହ ଯୋଡ଼ି ହୋଇ ରହିବା ଉଚିତ। ଦୁର୍ଘଟଣାର ଶିକାର ହେବା ପରେ ଏହି ଉକ୍ତିର ମର୍ମକୁ ବୁଝିପାରିଛନ୍ତି ଇଣ୍ଟରନେଟ୍‌ ସେନ୍‌ସେଶନ ଭୁବନ ବାଦ୍ୟାକର। ଏକଦା ଘର ଘର ବୁଲି ବାଦାମ ବିକୁଥିବା ବେଳେ ‘କଚ୍ଚା ବାଦାମ’ ଗୀତ ଗାଉଥିଲେ ସେ। ଏହା ଏପରି ଭାଇରାଲ ହୋଇଥିଲା ଯେ ସେ ଏବେ ଗାୟକ ପାଲଟିଛନ୍ତି। ଗୋଟିଏ ପରେ ଗୋଟିଏ ଗୀତର ଅଫର ତାଙ୍କ ପାଖରେ। ଏପରିକି ଦେଶବିଦେଶରେ ଶୋ’ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଉଛି।

ହଠାତ ସଫଳତାର ସ୍ବାଦ ଚାଖିଥିବା ଭୁବନ କିନ୍ତୁ ନିଜକୁ ଜଣେ ସାଧାରଣ ବ୍ୟକ୍ତି ବୋଲି କହୁଛନ୍ତି। ତାଙ୍କ ପାଖକୁ ଅଚାନକ ଟଙ୍କା ପଇସା ଆସିଥିବାରୁ ସେ ବାଟବଣା ହୋଇଯାଇଥିଲେ। ସେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣି ଦେଇଥିଲେ। ହେଲେ ଦୁର୍ଘଟଣା ପରେ ତାଙ୍କ ଆଖି ଖୋଲିଯାଇଛି। ସେ ଜଣେ ବାଦାମ ବିକୁଥିବା ସାଧାରଣ ଲୋକ ହୋଇଥିବାରୁ କାର୍‌ ରଖିବାର ଆବଶ୍ୟକତା ନାହିଁ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ଲୋକପ୍ରିୟତା ସାଙ୍ଗକୁ ଟଙ୍କା ତାଙ୍କ ମୁଣ୍ଡ ଖରାପ କରିଦେଇଥିଲା। ଏଥିଯୋଗୁ ସେ ଆଉ ବାଦାମ ବିକ୍ରି କରିବାର ଆବଶ୍ୟକତା ନାହିଁ ବୋଲି ଭାବିଥିଲେ। ହେଲେ ଏବେ ସେ କୌଣସି ସେଲିବ୍ରିଟି ନୁହେଁ ବୋଲି ବୁଝିପାରିଛନ୍ତି। ଆବଶ୍ୟକ ପଡ଼ିଲେ ସେ ପୁଣିଥରେ ବାଦାମ ବିକ୍ରି କରିବେ ବୋଲି ଭୁବନ କହିଛନ୍ତି।

ଆଗାମୀ ଦିନରେ ଭୁବନଙ୍କ ଆଉ ଦୁଇଟି ଗୀତ ‘ସାରେଗାମାପା’, ‘ଅମାର ନୋତୁନ ଗୋରି’ ରିଲିଜ ହେବାକୁ ଯାଉଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି।

Share