କୋଲକାତା,୫।୧୧: କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ବହୁତ ଭଲ ଆରମ୍ଭ ହୋଇଥିଲା। ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ଶୁବମାନ ଗିଲ ୫.୫ ଓଭରରେ ୬୨ ରନ ଯୋଡିଥିଲେ। ୨୪ ବଲରେ ୪୦ ରନ ସ୍କୋର କରିବା ପରେ ରୋହିତ ଶର୍ମା ପାଭିଲିୟନକୁ ଫେରିଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
କାଗିସୋ ରାବାଡା ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କରିଥିଲେ। କାଗିସୋ ରାବାଡା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାବାଡା ପ୍ରଥମ ବୋଲର ଭାବେ ରୋହିତ ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଆଉଟ୍ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାବାଡା ରୋହିତ ଶର୍ମାଙ୍କୁ ୧୨ ଥର ଆଉଟ୍ କରିଛନ୍ତି। ଏଥି ସହିତ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଟିମ ସାଉଥୀ ରୋହିତ ଶର୍ମାଙ୍କୁ ୧୧ ଥର ଆଉଟ୍ କରିଛନ୍ତି।
ରୋହିତ ଶର୍ମାଙ୍କୁ ସର୍ବାଧିକ ଥର ଆଉଟ୍ କରିଥିବା ବୋଲର ତାଲିକାରେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ତୃତୀୟ ସ୍ଥାନରେ ଅଛନ୍ତି। ମାଥ୍ୟୁସ ରୋହିତଙ୍କୁ ୧୦ଥର ନିଜର ଶିକାର କରିଛନ୍ତି। ଏହା ପରେ ଅଷ୍ଟ୍ରେଲିଆର ଅଫ ସ୍ପିନର ନାଥାନ ଲିଅନ। ଲିଅନ ରୋହିତଙ୍କୁ ୯ ଥର ଆଉଟ୍ କରିଛନ୍ତି।