କୈଳାସ ସତ୍ୟାର୍ଥୀ ଏସ୍‌ଡିଜି ଆଡଭୋକେଟ

ଜାତିସଂଘ, ୧୮।୯(ପି.ଟି.): ଜାତିସଂଘର ୭୬ତମ ସାଧାରଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଆଡଭୋକେଟ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟାର୍ଥୀଙ୍କ ସମେତ ଏସ୍‌ଟିଇଏମ୍‌ କର୍ମୀ ଭାଲେଣ୍ଟିନା ମୁନୋଜ୍‌ ରବାନାଲ, ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବ୍ରାଡ୍‌ ସ୍ମିଥ୍‌ ଏବଂ କେ-ପପ୍‌ ସୁପରଷ୍ଟାର ବ୍ଲାକ୍‌ପିଙ୍କ୍‌ଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏସ୍‌ଡିଜିର ନୂଆ ଆଡଭୋକେଟ ଭାବେ ନିଯୁକ୍ତି ଦେଇଛନ୍ତି। ଏବେ ଆମେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ। ଏକ ସବୁଜ ତଥା ନିରାପଦ ବିଶ୍ୱ ଲାଗି ଆମକୁ ଏବେ ନିର୍ଣ୍ଣୟ ନେବାକୁ ପଡ଼ିବ ବୋଲି ଗୁଟେରେସ୍‌ କହିଛନ୍ତି। ଏକ ଜଟିଳ ସମୟରେ ନୂତନ ନିଯୁକ୍ତି ପାଇଁ ସତ୍ୟାର୍ଥୀ ଜାତିସଂଘ ମହାସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ପ୍ରତି ପିଲାମାନେ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ତାଙ୍କର ନିଯୁକ୍ତି ଏହାର ଗମ୍ଭୀରତାକୁ ସ୍ବୀକୃତି ଦେଉଛି। ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି କୋଭିଡ୍‌ ମହାମାରୀ ପୂର୍ବରୁ ମଧ୍ୟ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ହୋଇ ନ ପାରିବାର ସଙ୍କେତ ମିଳିଥିଲା ବୋଲି ସତ୍ୟାର୍ଥୀ କହିଛନ୍ତି। ମହାମାରୀ ପରବର୍ତ୍ତୀ ସମୟରେ ଉପଯୁକ୍ତ ତଥା ଦୀର୍ଘମିଆଦୀ ସୁଧାର ଆଣିବାକୁ ହେଲେ ଅଧିକାରରୁ ସର୍ବାଧିକ ବଞ୍ଚତ୍ତ ତଥା ପଛରେ ପଡ଼ିଥିବା ଶିଶୁମାନଙ୍କୁ ପ୍ରାଥମିକତା ଦେବାକୁ ହେବ। ନୂତନ ନିଯୁକ୍ତିକୁ ବିନମ୍ରତାର ସହ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଶ୍ୱସ୍ତରୀୟ ନୀତି ନିର୍ଦ୍ଧାରଣକାରୀ ସଂସ୍ଥାରେ ସବୁଠୁ ଅବହେଳିତ ପିଲାମାନଙ୍କ ସ୍ବର ଉଠାଇବାର ଦାୟିତ୍ୱ ନେଉଛି ବୋଲି ସେ କହିଛନ୍ତି।

Share