କାଏମା,୨୬ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ ମଧ୍ୟଭାଗରେ କାଏମା ପାହାଡ଼ ବା ଗୋଗଳ ପାହାଡ଼ ଅବସ୍ଥିତ। ହେଲେ ଏହି ପାହାଡ଼ ଏବେ ମାଫିଆଙ୍କ ନଜରରେ। ମାଫିଆ ଏଠାରୁ ମୋରମ ଲୁଟ୍ କରୁଥିବା ଦେଖିବାକୁ ମିଳିଛି। ଦିନରାତି ମୋରମ ଲୁଟ୍ କରିବାରେ ଲାଗିଛନ୍ତି। ଫଳରେ ପାହାଡ଼ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏଭଳି ଭାବେ ପାହାଡ଼ ତଡ଼ାଯାଏ ତେବେ ଭବିଷ୍ୟତରେ ପୌରାଣିକ କାଏମା ପାହାଡ ମାନଚିତ୍ରରୁ ହଜିଯିବ ବୋଲି ଆଲୋଚନା ହେଉଛି।
ଏ ପାହାଡ଼ର ଅନେକ ଐତିହାସିକ ଓ ପୌରାଣିକ କଥା ଶୁଣିବାକୁ ମିଳେ। ଇତିହାସ କୁହେ ରାଜା ସମ୍ରାଟ ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମାବଲମ୍ବୀ ଏଠାରେ ଧ୍ୟାନ କରୁଥିଲେ। ଏହାର ପୁରାତନ ନାମ ଗୋଗଳ ଗିରି ବା ସୁରଭ ଗିରି ବୋଲି କୁହାଯାଏ। ପାହାଡ଼ରେ ୫ ପଥର କଟା ଗୁମ୍ଫା ଥିବା ଦେଖିବାକୁ ମିଳେ। ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀ ଅବବାହିକାରେ ଏହି ପାହାଡ଼ ଅବସ୍ଥିତ। ପ୍ରାକୃତିକ ପରିବେଶ ମନକୁ ଛୁଇଁଥାଏ।
ପାହାଡ଼ରୁ ପାଖାପାଖି ୨୫୦ ବର୍ଷ ତଳର ବୌଦ୍ଧ କୀର୍ତ୍ତିରାଜି ମାନ ଖନନ ଦ୍ୱାର ଦେଖିବାକୁ ମିଳିଛି। ଏହାର ପାଦଦେଶରେ ବୌଦ୍ଧକୀର୍ତ୍ତି ସମ୍ପନ୍ନ ହାତିଆଶୁଣୀ ପୂଜା ପାଉଛନ୍ତି। ଗବେଷକ ସ୍ବଗତ ଡ. ନୃସିଂହ ଚରଣ ସାହୁଙ୍କ ସହଯୋଗରେ ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ପତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ୨୦୦୪ରେ ଏହାର ପୁନରୁଦ୍ଧାର ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଏବେ ଅପରିଷ୍କାର ହୋଇଛି।
ଐତିହାସିକ ହାତିଆଶୁଣୀର ରକ୍ଷଣାବେକ୍ଷଣ ଅଭାବ ଓ ସୁରକ୍ଷା ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପାହାଡ଼ ଉପର ଭାଗରେ ପାଖାପାଖି ଦୁଇ ଶହ ବର୍ଷ ପୁରାତନ ମହାପୁରୁଷ ଶ୍ରୀହରି ଅବଧୂତମଠ ସ୍ଥାପିତ ସହ ସେଠାରେ ତାଙ୍କ ସମାଧି ଥିବା ଦେଖିବାକୁ ମିଳେ। ମଠକୁ ସ୍ବର୍ଗତ ଗୋଲଖ ଚନ୍ଦ୍ର ଦାସ ଦେଖାରଖା କରୁଥଲେ। ସେହି ସମୟରେ ବୌଦ୍ଧ ଗବେଷକଙ୍କ ଆଗମନ ଦେଖିବାକୁ ମିଳୁଥିଲା। ବୌଦ୍ଧ ଗବେଷକମାନେ ପାହାଡ଼ ପରିଦର୍ଶନ କରିବା ସମୟରେ ପାହାଡ଼ ଉପରଭାଗରୁ ବହୁ ପ୍ରାଚୀନ ଇଟା ଦେଖିବାକୁ ପାଇଥିଲେ। ପରେ ଖନନ କରାଯାଇ ଏହାକୁ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରେ ଆହୁରି ଅନେକ ବୌଦ୍ଧ କୀର୍ତ୍ତିରାଜି ଥିବା ଅନୁମାନ କରାଯାଇ ଏହାର ସୁରକ୍ଷା ନିମନ୍ତେ ପାହାଡ଼ର କିଛି ସ୍ଥାନକୁ ତାର ଜାଲି ବ୍ୟବସ୍ଥା କରାଯିବା ସହ ନିଷିଦ୍ଧ ଅଞ୍ଚଳ ଘୋଷଣାକରି ବୋର୍ଡ ଲଗାଯାଇଥିଲା। ଏବେ ଆଉ ସେ ବୋର୍ଡ ଦେଖିବାକୁ ମିଳୁନାହିଁ। ତାଙ୍କ ମୃତ୍ୟୁପରେ ଏବେ ତାଙ୍କ ପୁଅ ଜ୍ଞାନେନ୍ଦ୍ରୀୟ ଦାସ ପୂଜାପାଠ କରିବା ସହ ଏହାର ରକ୍ଷାଣାବେକ୍ଷଣା କରୁଛନ୍ତି। ରଜ ସମୟରେ ଏହି ପାହାଡ଼ ଉପର ଭାଗରେ ୩ ଦିନ ଧରି ମହାଯଜ୍ଞ କରାଯାଇଥାଏ। ଚାଲିଚାଲି ବହୁ ଭକ୍ତ ଏଠାକୁ ଆସନ୍ତି। ପାହାଡ଼ ଉପରକୁ ଗାଡ଼ି ମୋଟର ଯିବାଆସିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବୃଦ୍ଧାବୃଦ୍ଧ ଆସିପାରନ୍ତି ନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥାଏ।
ପୌରାଣିକ ତଥ୍ୟ ଅନୁସାରେ ପାଣ୍ଡବମାନଙ୍କର ଅଜ୍ଞାତ ବନବାସ ସମୟରେ ଅର୍ଜୁନ ସ୍ବୟଂଶଙ୍କର ଭଗବାନଙ୍କୁ ଉପାସନା କରିବା ନିମନ୍ତେ ଶତେ ଅର୍କ ପୁଷ୍ପ ଚୟନରେ ଇତସ୍ତତଃ ହୋଇ ପାହାଡ଼ର ମାର୍ଗରେ ଭ୍ରମଣ କରୁଥାଆନ୍ତି। ଅର୍ଜୁନ ପୁଷ୍ପ ଚୟନ କରିବା ବେଳେ ଏକ ସର୍ପ ତାଙ୍କ ପାଦକୁ ଦଶଂନ କରିଥିଲା। ଭ୍ରାତା ସହଦେବ ସଙ୍ଗେସଙ୍ଗେ ଉପସ୍ଥିତ ହୋଇ ମାତା କୁନ୍ତୀଙ୍କୁ ସର୍ପଦର୍ଶନ କଥା ଜଣାଇଥିଲେ। ତତ୍କ୍ଷଣାତ କୁନ୍ତୀ କୃଷ୍ଣଙ୍କୁ ସ୍ମରଣ କରିବା ପରେ କୃଷ୍ଣ ଭଗବାନ ଦୈବବାଣୀ ଦେଇଥିଲେ। ପରେ ଅର୍ଜୁନଙ୍କ ପ୍ରାଣସତ୍ତା ଫେରିଆସିଲା ସତ, କିନ୍ତୁ ଅର୍ଜୁନ ଜ୍ଞାନ ଫେରି ପାଇଲେନାହିଁ। ତତ୍ପରେ ମାତା କୁନ୍ତୀ ଓ ପୁତ୍ର ଅର୍ଜୁନ ଜ୍ଞାନଦାତା ବାବା ଗଜାନନଙ୍କୁ ପୂଜାର୍ଚ୍ଚନା କରିଥିଲେ। ହଠାତ୍ ଦୈବବାଣୀ ହେଲା ଯେ ଗୋଗଳ ପର୍ବତର ପଶ୍ଚିମ ଭାଗରେ ତପସ୍ୟା କରିବା ପାଇଁ। ଶେଷରେ ଶଙ୍କର ଭଗବାନଙ୍କୁ ଉପାସନା କରି ଅର୍ଜୁନଙ୍କର ଜ୍ଞାନପ୍ରାପ୍ତ ହୋଇଥିଲା। ଏହି ପାହାଡ଼ର ଇତିହାସ ଓ ପୌରାଣିକ କଥା ଅତି ଚମତ୍କାର। ବର୍ତ୍ତମାନ ଏହାର ଚତୁଃପାର୍ଶ୍ୱ ପରିବେଶକୁ ସବୁଜ ଓ ସୁରକ୍ଷିତ ରଖିବା ପାଇଁ ଚଣ୍ଡିଖୋଲ ବନ ବିଭାଗ ଅଧୀନରେ ‘କମଲେଇ ବନ’ ଯୋଜନା ନାମରେ ବହୁ ଗଛ ଲଗାଯାଇଛି। କିନ୍ତୁ ତାହା ମଧ୍ୟ ସୁରକ୍ଷା ଅଭାବରୁ କଟା ହେଉଥିବା ଅଭିଯୋଗ ହେଉଛି। ଏହି ପୁରାତନ ପାହାଡ଼ଟି ସୁରକ୍ଷା ଅଭାବରୁ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ତେଣୁ ଏହା ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।