ଖୁସି ଖବର ଦେଲେ କାଜଲ

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନୂଆ ବର୍ଷରେ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ହେବ କାଜଲଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା ସେ ଗର୍ଭବତୀ ଅଛନ୍ତି, କିନ୍ତୁ ଏବେ କାଜଲଙ୍କ ସ୍ବାମୀ ଗୌତମ କିଚଲୁ ଏହି ଖବରକୁ ନିଶ୍ଚିତ କରିଛନ୍ତି। କିଚଲୁ ନିଜ ଇନଷ୍ଟାଗ୍ରାମରେ କାଜଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ କିଚଲୁ କାଜଲଙ୍କ ବେବି ବମ୍ପ ଉପରେ ହାତ ରଖିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ ୨୦୨୨, ବର୍ତ୍ତମାନ ତୁମେ ଏବଂ ଆମର ଷ୍ଟାଣ୍ଡ। ଏହା ସହିତ ଗୌତମ ଏକ ଗର୍ଭବତୀ ମହିଳା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ କାଜଲ ଅଗ୍ରୱାଲ ମଧ୍ୟ ତାଙ୍କ ସ୍ବାମୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବେବି ବମ୍ପ ଦେଖାଉଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ, ମୁଁ ପୁରୁଣା ସମାପ୍ତ ଜିନିଷଗୁଡ଼ିକ ଉପରେ ଆଖି ବନ୍ଦ କରେ ଏବଂ ମୁଁ ନୂଆ ଆରମ୍ଭରେ ଆଖି ଖୋଲେ।
ଏହି ଫଟୋଗୁଡିକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କାଜଲ ଅଗ୍ରୱାଲ ଏବଂ ଗୌତମ କିଚଲୁଙ୍କୁ ପ୍ରଶଂସକ ଅଭିନନ୍ଦନ ଜଣାଇଛନ୍ତି। ଅକ୍ଟୋବର ୩୦, ୨୦୨୦ରେ କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ।

Share