ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ଏବେ ଓଟିଟିକୁ ନେଇ ଦର୍ଶକଙ୍କ ଧାରଣା ବଦଳି ଯାଇଛି । ଆଉ ଏବେ ଓଟିଟି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟି ଯାଇଛି । ଦର୍ଶକେ ଏବେ ଥିଏଟର ଯିବା ବଦଳରେ ଓଟିଟିକୁ ବେଶି ପସନ୍ଦ କରୁଥିବା ଦେଖାଯାଇଛି । ସେଥିପାଇଁ ବଲିଉଡ ସେଲିବ୍ରିଟିଙ୍କ କ୍ରେଜ୍ ଓଟିଟି ପ୍ରତି ବୃଦ୍ଧି ପାଉଥିବା ଦେଖାଯାଇଛି । ଏହି ପ୍ଲାଟଫର୍ମରେ ସୁସ୍ମିତା ସେନ ଓ ରବିନା ଟଣ୍ଡନ ତାଙ୍କ ଜଲୱା ଦେଖାଇ ସାରିଥିବା ବେଳେ ଏବେ କାଜଲ ଓଟିଟି ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଏହାର ଘୋଷଣା ହୋଇଥିବା ବେଳେ ତାଙ୍କ ପ୍ରୋଜେକ୍ଟକୁ ନେଇ କିନ୍ତୁ କୌଣସି ଅପଡେଟ ମିଳିପାରି ନାହିଁ । ଏସବୁ ମଧ୍ୟରେ କାଜଲଙ୍କ ଲୁକ ସାମ୍ନାକୁ ଆସିଛି ।
କାଜଲ ୱେବସିରିଜ ‘ଦ ଗୁଡ ୱାଇଫ’ ସହ ଡିଜିଟାଲ ୱାର୍ଲଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଦ ଗୁଡ ୱାଇଫ’ର ଭାରତୀୟ ରୂପାନ୍ତରଣର ପ୍ରଥମ ଲୁକ ଶୁକ୍ରବାର ଜାରି କରାଯାଇଛି । ଏହି ୱେବ ସିରିଜରେ କାଜଲଙ୍କ ଲୁକ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହାର ସମ୍ପୂର୍ଣ୍ଣ ଟାଇଟଲ ରହିଛି ‘ଦ ଗୁଡ ୱାଇଫ-ପ୍ୟାର, କାନୁନ, ଧୋକା’ । ଏହି ୱେବ ସିରିଜରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିବେ । ‘ଦ ଫ୍ୟାମିଲି ମେନ’ ଫେମ ସୁପର୍ଣ୍ଣ ବର୍ମାଙ୍କ ଦ୍ୱାରା ଏହା ନିର୍ଦ୍ଦେଶିତ । ଏହା ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, କାଜଲ ତ୍ରିଭାଷୀୟ ଫିଲ୍ମ ‘ତିରଭଙ୍ଗା’ ସହ ୨୦୨୧ରେ ଡିଜିଟାଲ ଡେବ୍ୟୁ କରି ସାରିଛନ୍ତି । ଏହି ଫିଲ୍ମ ଡିଜିଟାଲରେ ରିଲିଜ କରାଯାଇଥିଲା ହେଲେ ଆଗାମୀ ୱେବ ସିରିଜ ସହ କାଜଲ ଓଟିଟିରେ ଡେବ୍ୟୁ କରିବେ । କାଜଲଙ୍କ ସ୍ୱାମୀ ଅଜୟ ଦେବଗନ ଓଟିଟିରେ ଡେବ୍ୟୁ କରି ସାରିଛନ୍ତି । ତାଙ୍କର ୱେବସିରିଜ ‘ରୁଦ୍ର-ଦ ଏଜ ଅଫ୍ ଡାର୍କନେସ’ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇ ସାରିଛି ।

Share