ବ୍ରହ୍ମପୁର,୨୫ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାରେ କାଜୁ ଚାଷ ଉଜୁଡ଼ିଯାଇଛି। ଅନ୍ୟପକ୍ଷରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କାଜୁ ଜଙ୍ଗଲ। ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନି। ଫସଲ ସୁରକ୍ଷା ପ୍ରତି ଅଣଦେଖା ଆଉ ଏକ କାରଣ।
ସୂଚନାଯୋଗ୍ୟ ବ୍ରହ୍ମପୁର ଉପଖଣ୍ଡର ରଙ୍ଗେଇଲୁଣ୍ଡା, ଚିକିଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହେଉଥିବା ଚାଷ ଯୋଗୁ ପ୍ରଚୁର ପରିମାଣର କାଜୁ ଉତ୍ପାଦିତ ହେଉଥିଲା। ଛତ୍ରପୁର, ଖଲ୍ଲିକୋଟ, ବେଗୁନିଆପଡ଼ା, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ସୋରଡ଼ା ଆଦି ବ୍ଲକ ଅଞ୍ଚଳରେ ମଧ୍ୟ କାଜୁ ଚାଷ ବ୍ୟାପକ ହେଉଥିଲା। ଉପତ୍ାଦିତ ଫସଲରର ପ୍ରୋସେସିଂ ୟୁନିଟ ବିଭିନ୍ନ ସ୍ଥାନରେ ଅଛି।
ରଙ୍ଗେଇଲୁଣ୍ଡା ବ୍ଲକର ବିଶ୍ୱନାଥପୁର, କୁଠାରସିଂ, ମନ୍ତ୍ରିଡ଼ି, ଇନ୍ଦ୍ରାକ୍ଷୀ, ମାର୍କଣ୍ଡି, ଲାଉଡ଼ିଗାଁ, କମଳାପୁର ଆଦି ଅଞ୍ଚଳରେ ୨ ହଜାରରୁ ଅଧିକ ଏକର କାଜୁ ଜଙ୍ଗଲରେ ଚାଷ କରାଯାଉଛି। ଉତ୍ପାଦନ ବେଳକୁ ବାର୍ହା ଓ ଘୁଷୁରି ପଲ ପଶି ନଷ୍ଟ କରୁଛନ୍ତି। ସେଥିରୁ ରକ୍ଷା କରିବା ନିମନ୍ତେ କାଜୁ ଜଙ୍ଗଲରେ ତାର ଘେରା ସହ ସେଥିରେ ବିଦ୍ୟୁତ ଝଟକା ଲଗାଇବାକୁ ଦୀର୍ଘ ବର୍ଷର ଦାବି ପ୍ରତି ସରକାର ଅଣଦେଖା କରୁଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।
ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳରେ କାଜୁ ପ୍ରୋସେସିଂ ୟୁନିଟ ଗୁଡ଼ିକରେ ଶ୍ରମିକମାନେ ନିୟୋଜିତ ହୋଇ ରୋଜଗାରକ୍ଷମ ହେଉଛନ୍ତି। ଅନ୍ୟପକ୍ଷରେ ସରକାରୀ ଯୋଜନା ପାଇଁ କାଜୁ ଜଙ୍ଗଲ ଦିଆଯାଉଥିବାରୁ ପରିସୀମା ହ୍ରାସ ପାଉଛି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଜର ପାଇଁ ରଙ୍ଗେଇଲୁଣ୍ଡା ବ୍ଳକର ଲାଉଡ଼ିଗାଁ ନିକଟରେ ବିସ୍ତୃତ କାଜୁ ଜଙ୍ଗଲ ଜମି ଦିଆଯାଇଛି। ଇତିମଧ୍ୟରେ ଆଇଆଇଟିର ଏକ ଅନୁଷ୍ଠାନ ଲାଗି କାଜୁ ଜଙ୍ଗଲ ଜମି ଚିହ୍ନଟ କରାଯାଇଥିବା ଚାଷୀଙ୍କ ଠାରୁ ଜଣାପଡ଼ିଛି।
ରାଜ୍ୟରେ ଉତ୍ପାଦିତ କାଜୁ ବିଦେଶରେ ଆଦୃତ ହେଉଛି। ଏବେ ବାଂଲାଦେଶକୁ ବିପୁଳ ପରିମାଣର କାଜୁ ରପ୍ତାନୀ କରାଯାଇଛି। ଫସଲ ସୁରକ୍ଷା ଏବଂ ଚାଷୀଙ୍କୁ ଆବଶ୍ୟକ ସହାୟତା ମିଳିଲେ ଉତ୍ପାଦନ ଆଶାନୁରୂପ ବୃଦ୍ଧି ପାଇବାର କୁହାଯାଇଛି। ଗଞ୍ଜାମର ଜଣେ ବିଜେଡି ନେତା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଛନ୍ତି। ନିଜ ଜିଲାରେ କାଜୁ ଚାଷକୁ ଗୁରୁତ୍ୱ ଦେବା ପାଇଁ ଦାବି କରାଯାଇଛି।