କାଜୁ, ଲେମନ ଗ୍ରାସ୍‌ କେଳେଙ୍କାରି : ଜୀବନ ଜୀବିକା ନାଁରେ ହରିଲୁଟ୍‌

ଚିତ୍ରକୋଣ୍ଡା,୧୨।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ, ପାପରମେଟେଲା ଏବଂ ପଣସପୁଟ ଅଞ୍ଚଳରେ ବିକାଶ ନାମକ ଏକ ଏନ୍‌ଜିଓ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ଜିଲା ଆଇଟିଡିଏ ଆନୁକୂଲ୍ୟରେ ଓଟିଇଏଲ୍‌ପି ପ୍ରକଳ୍ପ ମାଧ୍ୟମରେ ଆଦିବାସୀଙ୍କ ଜୀବନଜୀବିକାରେ ପରିବର୍ତ୍ତନ କରିବାକୁ କାମ କରି ଆସୁ୍‌ଥିବା କୁହାଯାଉଛି । ମାତ୍ର ଦୀର୍ଘଦିନ ହେଲା ଜୀବନଜୀବିକା ନାଁରେ ହରିଲୁଟ ଘୋଟାଲା ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। କାଜୁଗଛ, ଲେମନ ଗ୍ରାସ୍‌କୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧେରି ଓ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ ଅଭିଯୋଗ ଆଣିଛନ୍ତି। ନା ଗଛ ଅଛି ନା ଚାଷୀ ସେମାନଙ୍କ ପାରିଶ୍ରମିକ ପାଇଛନ୍ତି। ସରକାର ସ୍ବାଭିମାନ ଅଞ୍ଚଳର ଚାଷୀଙ୍କ ବିକାଶ କଥା ଚିନ୍ତା କରୁଥିବା ବେଳେ ସେମାନଙ୍କ ବିକାଶ ନାଁରେ ହେଉଥିବା ହରିଲୁଟ୍‌ ଦେଖିବାକୁ ମିଳୁଛି। ଅବିଳମ୍ବେ ଜିଲା ପ୍ରଶାସନ ଠିକ୍‌ ତଦନ୍ତ କରି ପଦକ୍ଷେପ ନେବାକୁ ସ୍ବାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି ।
ଏ ସମ୍ପର୍କରେ ବିକାଶ ଅନୁଷ୍ଠାନ ତଥା ପିଏ ଆଇଟିଡିଏଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

Share