ପାଟଣା,୧୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଛି। ଏଥିରେ ପାଟଣା ବ୍ଲକ୍ ଚିନାମାଳୀପଶି ହାଇସ୍କୁଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଛପର ଉଡିଯିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ମରାମତି କରିବାକୁ ଅଭିଭାବକ ଦାବି କରିଛନ୍ତି।
ସୂଚନା ମୁତାବକ, ଗତ ବର୍ଷ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ୫-ଟି ଅଧୀନରେ ରୂପାନ୍ତରୀକରଣ ହୋଇଥିଲା। କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନରେ ସ୍ମାର୍ଟ କ୍ଲାସ ରୁମ୍ ସହ ସାଇନ୍ସଲ୍ୟାବର ଛପର ଉଡିଯିବା ସହ ସିଲିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଥିସହ ସ୍ମାର୍ଟ କ୍ଲାସ୍ରୁମରେ ଥିବା ୨ଟି ସ୍ମାର୍ଟ ବୋର୍ଡ ବର୍ଷା ପାଣିରେ ଭିଜିବା ସହ, ବୈଦ୍ୟୁତିକ ସାମଗ୍ରୀ, ଡେସ୍କ, ବିଜ୍ଞାନ ଉପକରଣ ଭାଙ୍ଗି ଯାଇଛି। ସ୍କୁଲରେ ୯ମ ଓ ୧୦ ଶ୍ରେଣୀରେ ମୋଟ ୯୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଜୁନ ୧୮ରେ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ କେଉଁଠି ବସି ପଢିବେ ସେ ନେଇ ଶିକ୍ଷକ ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଲାସ୍ ରୁମ୍ ମରାମତି କରାଯିବାକୁ ସ୍ଥାନୀୟ ସରପଞ୍ଚ ଝୁମିତା ନାୟକଙ୍କ ସହ ମୋ ସ୍କୁଲ ଅଭିଯାନ ସଭାପତି ପ୍ରଦୀପ ନାୟକ ଦାବି କରିଛନ୍ତି। ପ୍ରଧାନ ଶିକ୍ଷକ ସାଧୁ ଚରଣ ପ୍ରଧାନ ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ମରାମତି କରିବାକୁ ପାଟଣାର ନବ ନିର୍ବାଚିତ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କୁ ନିବେଦନ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ କହିଛନ୍ତି, ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀ ଗୃହ ମରାମତି କରିବାକୁ ଚେଷ୍ଟା କରାଯିବ। ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ ଓ ଯନ୍ତ୍ରୀ ସୀତାକାନ୍ତ ବେଉରିଆ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ବିଡିଓ କହିଛନ୍ତି, ଦିନେ ୨ ଦିନ ମଧ୍ୟରେ ପୁନଃ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପକ୍ଷେ ବର୍ଷା, ପବନ ପ୍ରଭାବରେ ପାଟଣାରୁ କେନ୍ଦୁଝର ମଇଦାନ କେଲ ରାସ୍ତା, ଚିନାମାଳୀପଶିରୁ ଭୀମକୁଣ୍ଡ ରାସ୍ତାର ଗୋଧିରାମ ପଡ଼ା ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ପଡ଼ି ତୁରୁମୁଙ୍ଗା ସବ୍ ଡିଭିଜନର ବିଭିନ୍ନ ଗଁାରେ ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଥିଲା। ୧୭ ଘଣ୍ଟା ପରେ କେତେକ ସ୍ଥାନକୁ ବିଦ୍ୟୁତ ସେବା ସ୍ବଭାବିକ ହୋଇଛି।