
କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପବନର ବେଗ୍ ଏତେ ଜୋରଥିଲା ଯେ, ବଡ଼ ବଡ଼ ଗଛ ଡାଳ ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା। ଏପରିକି ବିଦ୍ୟୁତ୍ ତାର ଛିଣ୍ତି ପଡିଥିଲା। ଫଳରେ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି।
କାଳବୈଶାଖି ପ୍ରଭାବରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ରାମଚନ୍ଦ୍ର ମୁଣ୍ତାଙ୍କ ଘର କାନ୍ଥ ଭୁଶୁଡି ପଡିଛି। ସୌଭାଗ୍ୟ ବସତଃ ପରିବାର ଲୋକଙ୍କ ସମେତ ଘର ଭିତରେ ଥିବା ଗୃହ ପାଳିତ ପଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ରାମଚନ୍ଦ୍ର ଗରିବ ଶ୍ରେଣୀର ହୋଇଥିବାରୁ ଅଭାବ ଅନଟନରେ ଅଛନ୍ତି। ଏଣୁ ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ହାତୀକୁଚା ଗ୍ରାମର ମୋହନ କୁମାର ମହାନ୍ତ ଙ୍କ ଘର ନିକଟରେ ଏକ ଜାମୁଗଛ ଡାଳ ଭାଙ୍ଗି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଉପରେ ପଡିବାରୁ ଖୁଣ୍ଟ ଭାଙ୍ଗିବା ସହିତ ତାରଛିଣ୍ତି ପଡିଥିଲା। ଫଳରେ ସମ୍ପୃକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।
ବିଭିନ୍ନ ସ୍ଥାନକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍ ଓ ବାଇକ୍ ସମେତ ଛୋଟ ବଡ ଗାଡି ଯାତାୟତ କରିପାରି ନ ଥିଲା। ଏପରିକି ବିଦ୍ୟୁତ୍ ତାର ଛିଣ୍ଡି ପଡିବାରୁ ଗାଁ ଲୋକେ ଅନ୍ଧାରରେ ରହିଛନ୍ତି।
ସେହିପରି ନୂଆଗାଁ ପଞ୍ଚାୟତ ନରସିଂପୁର ମୁଣ୍ତାସାହି ନିକଟରେ ଏକ ଗଛ ଡାଳ ବିଦ୍ୟୁତ୍ ତାର ଉପରେ ପଡି ତାର ଛିଣ୍ତି ଯାଇଥିଲା। ଫଳରେ ୪୨ଗାଁକୁ ବିଦ୍ୟୁତ୍ ସେବା ବିଛିନ୍ନ ହୋଇଯାଇଛି। ବିଦ୍ୟୁତ୍ କର୍ମଚାରୀମାନେ ପହଞ୍ଚି ଏକ ନୂତନ ଖୁଣ୍ଟ ପୋତି ବିଦ୍ୟୁତ୍ ସରବରାହ ରାତି ସୁଧା ସଚଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଏପରିକି କେନ୍ଦୁପୋଶି ଗ୍ରାମରେ ଝଡତୋଫାନ ଯୋଗୁ ଲାଲସିଂ ମୁଣ୍ତାଙ୍କ ଘର ଅଗଣାରେ ଥିବା ଏକ ବଡ଼ ତେନ୍ତୁଳି ଡାଳ ଭାଙ୍ଗି ଘର ଉପରେ ପଡିଥିଲା। ହେଲେ ଘରେ କେହି ନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।